ରମ୍ଭା,୭।୩(ଡି.ଏନ୍.ଏ.): ଗଞ୍ଜାମ ଜିଲା ରମ୍ଭାରେ ସ୍ଥାନୀୟ ନିର୍ବାଚନ କାର୍ଯ୍ୟାଳୟ ପରିସରରେ ଶେଷଦିନରେ ୨ ଅଧ୍ୟକ୍ଷା ଓ ୨୧ଜଣ କାଉନସିଲର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏନେଇ ସୋମବାର ନିର୍ବାଚନ ଅଧିକାରୀ ଜ୍ୟୋର୍ତିମୟ ଦାସ ସୂଚନା ଦେଇଛନ୍ତି। ଭାଜପା ପକ୍ଷରୁ ଆଖଣ୍ଡଳମଣି ମନ୍ଦିରଠାରୁ ରମ୍ଭା ଏନ୍ଏସି ପର୍ଯ୍ୟନ୍ତ ଏକ ବିରାଟ ପଟୁଆରରେ ବାଦ୍ୟ ବାଜଣା ସହ ଫ୍ଲାକାର୍ଡ ବ୍ୟାନର ପତକା ଧରି ସ୍ଲୋଗାନ ଦେବା ସହ ଗ୍ରାମ ପରିକ୍ରମା କରାଯାଇ ନାମାଙ୍କନ ପତ୍ର ଦାଖଲ କରାଯାଇଥିଲା। କିଛି ସମୟ ପାଇଁ ସହରର ଚର୍ତୁଃପାର୍ଶ୍ୱ ଗେରୁଆ ବସ୍ତ୍ରରେ ଆଚ୍ଛାଦିତ ହୋଇଯାଇଥିଲା। ଭାଜପା ପକ୍ଷରୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଛତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାୟକ ପାର୍ଥୀ ପ୍ରଶାନ୍ତ କୁମାର କର, ରାଜ୍ୟ ଅନୁସୂଚିତ ଜାତି ସମ୍ପାଦକ ତଥା ପୂର୍ବତନ ଜିଲା ପରିଷଦ ସଭ୍ୟ କୀର୍ତ୍ତନ ଦାଶ, ଭୀମସେନ ବେହେରା, ନଗର ଭାଜପା ସଭାପତି ସିମାଞ୍ଚଳ ବାଡ଼ତ୍ୟାଙ୍କ ଉପସ୍ଥିତିରେ ଅଧ୍ୟକ୍ଷା ପାର୍ଥୀନି ମାନସୀ ସ୍ବାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ।