ହାଇଦ୍ରାବାଦ,୭।୨: ଅପରାଧୀଙ୍କ ବଦଳରେ ଥାନା ହାଜତରେ ବନ୍ଦୀ ଜୀବନ କାଟୁଛନ୍ତି ୨ କୁକୁଡ଼ା। ଏହି ଘଟଣା ଉପରେ ବିଶ୍ୱାସ କରିବା ସହଜ ନୁହେଁ। ହେଲେ ଏହା ସତ। ସୂଚନା ଯୋଗ୍ୟ, ତେଲେଙ୍ଗାନାର କାମାମ ଜିଲା ମୁଦିଗୋଣ୍ଡା ଥାନାରେ ୨ଟି କୁକୁଡ଼ାକୁ ହାଜତରେ ତାଲା ପକାଇ ରଖାଯାଇଛି। ମକର ସଂକ୍ରାନ୍ତିର ଦିନ ଥାନା ସବ୍ଇନ୍ସପେକ୍ଟର ଟି. ନରେଶଙ୍କୁ ବନାପୁରମ ଗାଁରେ କୁକୁଡ଼ା ଖେଳ ହେଉଥିବା ସୂଚନା ମିଳିଥିଲା। ଏନେଇ ପୋଲିସ ଟିମ୍ ଘଟଣା ସ୍ଥଳରେ ଚଢ଼ାଉ କରି ୧୦ଜଣ ଯୁବକଙ୍କୁ ଗିରଫ କରିବା ସହ ୨ଟି କୁକୁଡ଼ାକୁ ଜବତ କରିଥିଲା। ଗିରଫ ଯୁବକମାନଙ୍କୁ ପୋଲିସ କୋର୍ଟ ଚାଲାଣ କରିଥିଲା। ତେବେ ଜାମିନ ପାଇ ୧୦ ଜଣ ଯୁବକ ଘରକୁ ଚାଲିଯାଇଥିବା ବେଳେ ଥାନା ହାଜତରେ ୨ଟି କୁକୁଡ଼ା ବନ୍ଦୀ ଜୀବନ କାଟୁଛନ୍ତି।