ଭୁବନେଶ୍ୱର, ୧୩ା୨(ବ୍ୟୁରୋ): ଆସନ୍ତା ପୌର ନିର୍ବାଚନରେ ପ୍ରଥମ ଥର ଲାଗି ଭୋଟରମାନେ ପ୍ରତ୍ୟକ୍ଷ ମତଦାନରେ ସିଧାସଳଖ ମେୟର ଓ ପୌରାଧ୍ୟକ୍ଷ ବାଛିବେ। ଇଲେକ୍ଟ୍ରୋନିକ୍ ଭୋଟିଂ ମେଶିନ (ଇଭିଏମ୍)ରେ ମତଗ୍ରହଣ ହେବ। ଗୋଟିଏ ବୁଥ୍ରେ ୨ଟି ଇଭିଏମ୍ ରହିବ। ଗୋଟିଏ ଇଭିଏମ୍ କାଉନସିଲର/କର୍ପୋରେଟରଙ୍କ ଏବଂ ଅନ୍ୟ ଇଭିଏମ୍ରେ ପୌରାଧ୍ୟକ୍ଷ/ ମେୟରଙ୍କ ପାଇଁ ଭୋଟ୍ ପଡ଼ିବ। ଯେଉଁଠି ବାଲଟ ପେପରରେ ମତଦାନ ହେବ ସେଠାରେ ଦୁଇଟି ରଙ୍ଗର ବାଲଟ ପେପର ଉପଲବ୍ଧ ହେବ। କାଉନସିଲର/ କର୍ପୋରେଟରଙ୍କ ପାଇଁ ଗୋଲାପି(ପିଙ୍କ୍) ଏବଂ ପୌରାଧ୍ୟକ୍ଷ/ମେୟରଙ୍କ ପାଇଁ ହଳଦିଆ (ୟେଲୋ) ରଙ୍ଗର ବାଲଟ ପେପର ରହିବ। ଏହା ଇଭିଏମ୍ର ବାଲଟ ୟୁନିଟ୍ରେ ଲଗାଯିବା ସହ ଇଲେକ୍ସନ ଡ୍ୟୁଟି ସାର୍ଟିଫିକେଟ ଓ ଟେଣ୍ଡର ଭୋଟ ପାଇଁ ବ୍ୟବହାର କରାଯିବ। ଏନେଇ ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।
ପୌର ନିର୍ବାଚନରେ ପ୍ରାର୍ଥୀଙ୍କୁ ସତ୍ୟପାଠ ଦାଖଲ କରିବାକୁ ପଡ଼ିବ। ସତ୍ୟପାଠରେ ଭୁଲ ତଥ୍ୟ ଦେଲେ ପ୍ରାର୍ଥିପତ୍ର ନାକଚ ହୋଇଯିବ। ପୌର ନିର୍ବାଚନରେ ପ୍ରତିନ୍ଦ୍ୱନ୍ଦ୍ୱିିତା କରିବାକୁ ଥିବା କାଉନସିଲର, କର୍ପୋରେଟର, ଅଧ୍ୟକ୍ଷ ଓ ମେୟରମାନଙ୍କର ନିର୍ବାଚନ ଖର୍ଚ୍ଚ ସୀମାକୁ ମଧ୍ୟ ରାଜ୍ୟ ନିର୍ବାଚନ କମିଶନର ବୃଦ୍ଧି କରିଛନ୍ତି। ନିର୍ବାଚନରେ ମତଦାତାଙ୍କ ପାଇଁ ‘ନୋଟା’ (ନନ୍ ଅଫ୍ ଦି ଏବଭ) ବା ଉପରୋକ୍ତ ପ୍ରାର୍ଥୀଙ୍କ ମଧ୍ୟରୁ କେହି ନୁହନ୍ତି ବିକଳ୍ପ ରହିବ। ଯଦି କୌଣସି ମତଦାତା ନିର୍ବାଚନରେ ପ୍ରତିନ୍ଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ମଧ୍ୟରୁ କାହାକୁ ପସନ୍ଦ କରିବେ ନାହିଁ ତେବେ ସେ ନୋଟାରେ ନିଜର ଭୋଟ ଦେଇପାରିବେ। ଇଭିଏମ୍ ପ୍ୟାନେଲର ଶେଷ ପ୍ରାର୍ଥୀଙ୍କ ନାଁ ପରେ ‘ଉପରୋକ୍ତ ପ୍ରାର୍ଥୀଙ୍କ ମଧ୍ୟରୁ କେହି ନୁହନ୍ତି’ ବୋଲି ଉଲ୍ଲେଖ ରହିବ ଓ ଏଥିସହିତ ପ୍ରାର୍ଥୀଙ୍କ ନିର୍ବାଚନ ଚିହ୍ନ ଭଳି ‘ନୋଟା’ ପାଇଁ ମଧ୍ୟ ଏକ ଚିହ୍ନ ରହିବ।