୨ କନଷ୍ଟେବଳ ନିଲମ୍ବିତ

ବାରିପଦା ଅଫିସ, ୮ା୧୦- ମୟୂରଭଞ୍ଜ ଜିଲା ବଡ଼ସାହି ଥାନାର ଦୁଇ ନିଶାଗ୍ରସ୍ତ କନଷ୍ଟେବଳଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଘଟଣାରେ ଏସ୍‌ପି ପରମାର ସ୍ମିଥ ପୁରୁଷୋତ୍ତମ ଦାସ ଦୁଇ କନଷ୍ଟେବଳ କାର୍ତ୍ତିକ ଚନ୍ଦ୍ର ପାତ୍ର ଓ କମଲ ମହାନ୍ତଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି। ପ୍ରାଥମିକ ତଦନ୍ତ ପରେ ଜିଲା ପୋଲିସ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ସୂଚନା ମିଳିଛି।
ବଡ଼ସାହି-ବେତନଟୀ ରାସ୍ତାର ବେଲପାଳ ଛକ ନିକଟ ଏକ ଦୋକାନରେ ଉଭୟ ମଦ ପିଇବା ସହ ନିଶାସକ୍ତ ଅବସ୍ଥାରେ ଅଶ୍ରାବ୍ୟ ଭାଷାରେ କଥାବାର୍ତ୍ତା ହେଉଥିବା ଭାଇରାଲ୍‌ ଭିଡିଓରୁ ଜଣାପଡ଼ିଛି। ଜଣେ କନଷ୍ଟେବଳ ନିଶାଗ୍ରସ୍ତ ହୋଇ ନିଜ କାର ଚଳାଇବାକୁ ଅସମର୍ଥ ହେବାରୁ ସାଥି କନଷ୍ଟେବଳଙ୍କୁ ସେହି ସ୍ଥାନକୁ ଡକାଇଥିଲେ। ଅନ୍ୟ ଜଣେ ମଧ୍ୟ ନିଶାସକ୍ତ ଅବସ୍ଥାରେ ଏକ ବୁଲେଟ୍‌ ଗାଡ଼ି ଧରି ସେଠାକୁ ଆସିବା ସମୟରେ ନିୟନ୍ତ୍ରଣ ହରାଇ ପଡ଼ିଯିବାରୁ ବୁଲେଟ୍‌ର ଆଇନା ଭାଙ୍ଗିଯାଇଥିଲା। ଏହାକୁ ସଜାଡ଼ବାକୁ ଉଭୟ କର୍ମଚାରୀ ଅସମର୍ଥ ହେବାରୁ ସ୍ଥାନୀୟ ଯୁବକମାନେ ସହଯୋଗ କରୁଥିବା ଦୃଶ୍ୟ ଭିଡିଓରୁ ଜଣାପଡ଼ିଛି। ତେବେ ଅଳ୍ପ ଦିନ ତଳେ ସୁଟିଂ କରାଯାଇଥିବା ଏହି ଭିଡିଓ ଏବେ ଭାଇରାଲ୍‌ ହେବାରୁ ପୋଲିସର କାର୍ଯ୍ୟକଳାପକୁ ନେଇ ସାଧାରଣ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି।

Share