ବଦଳିଲା ଯୁକ୍ତ୨ ପାଠ୍ୟକ୍ରମ

ଭୁବନେଶ୍ୱର,୧ା୮(ଅନୁରାଧା ମହାରଣା):ଯୁକ୍ତ୨ରେ କେତେକ ପାଠ୍ୟକ୍ରମ ବଦଳିବା ସହ ସିବିଏସ୍‌ଇ ଢାଞ୍ଚାରେ ସରଳୀକରଣ କରାଯାଇଛି। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନୂଆ ପାଠ୍ୟକ୍ରମ ସମ୍ପର୍କିତ ତଥ୍ୟ ସିଏଚ୍‌ଏସଇ ଓ୍ବେବସାଇଟ୍‌ www.chseodisha.nic.inରେ ଉପଲବ୍ଧ ହୋଇଛି। ବିଜ୍ଞାନ ବିଭାଗର ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୀବବିଜ୍ଞାନ କ୍ଷେତ୍ରରେ ଏହି ନୂଆ ପାଠ୍ୟକ୍ରମ ଲାଗୁ କରାଯାଇଛି। ବିଜ୍ଞାନର ଅନ୍ୟ ସମସ୍ତ ବିଷୟ ସହ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟରେ ପିଲାମାନେ ପୂର୍ବ ପାଠ୍ୟକ୍ରମ ଅନୁସାରେ ପରୀକ୍ଷାଦେବେ। ତେବେ ଗଣିତ ବିଷୟ ନେଇଥିବା ଏକାଦଶ ବା ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ରୀଛାତ୍ରଙ୍କ ପାଇଁ ନୂଆ ପାଠ୍ୟକ୍ରମ ଅନୁସାରେ ପାଠପଢ଼ା ହେବ। ଦ୍ୱାଦଶ ବା ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ଛାତ୍ରୀଛାତ୍ର ପୁରୁଣା ପାଠ୍ୟକ୍ରମରେ ପରୀକ୍ଷାଦେବେ। ଧନ୍ଦାମୂଳକ ପିଲାଙ୍କ ପାଇଁ ନିର୍ଦ୍ଧାରିତ ପାଠ୍ୟକ୍ରମ ସମ୍ପର୍କରେ ଖୁବ୍‌ଶୀଘ୍ର ସୂଚନା ଦିଆଯିବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି। ସେହିପରି ଯୁକ୍ତ ୨ରେ ହେଉଥିବା ୩ଟି କ୍ୱାର୍ଟର ଏଣ୍ଡ୍‌ ପରୀକ୍ଷା ବଦଳରେ ୨ଟି ଇଣ୍ଟରନାଲ ପରୀକ୍ଷା କରାଯିବ। ୨୦୨୨-୨୩ରେ ହୋଇଥିବା କ୍ୱାର୍ଟର ଏଣ୍ଡ୍‌ ପରୀକ୍ଷା ଢାଞ୍ଚାରେ ଏହି ଇଣ୍ଟରନାଲ ପରୀକ୍ଷା କରାଯିବ। ଉଭୟ ଥିଓରୀ ଓ ପ୍ରାକ୍ଟିକାଲରେ ଇଣ୍ଟରନାଲ ପରୀକ୍ଷା ୨୦ ପ୍ରତିଶତ ଓ ବାର୍ଷିକ ପରୀକ୍ଷା ୮୦ ପ୍ରତିଶତ ମାର୍କର ହେବ। ୨୦୨୪ରେ ଅନୁଷ୍ଠିତ ହେବାକୁ ଥିବା ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୀବବିଜ୍ଞାନ ପରୀକ୍ଷା ପାଇଁ ଏନ୍‌ସିଇଆର୍‌ଟି ପକ୍ଷରୁ ପ୍ରକାଶିତ ପୁସ୍ତକ ସହ ଓଡ଼ିଶା ଷ୍ଟେଟ୍‌ ବ୍ୟୁରୋ ଅଫ୍‌ ଟେକ୍ସଟ୍‌ ବୁକ୍ସ ପକ୍ଷରୁ ପ୍ରସ୍ତୁତ ପୁସ୍ତକ ପଢ଼ାଯିବ। ଗଣିତ ନେଇଥିବା ଛାତ୍ରୀଛାତ୍ରଙ୍କୁ ଓଡ଼ିଶା ଷ୍ଟେଟ୍‌ ବ୍ୟୁରୋ ଅଫ୍‌ ଟେକ୍ସଟ୍‌ ବୁକ୍ସ ପକ୍ଷରୁ ପ୍ରସ୍ତୁତ ପୁସ୍ତକ ପଢ଼ିବାକୁ ହେବ।

Share