ପାଣିଭାର ଆଣିବାକୁ ଯାଇ ୨ କାଉଡ଼ିଆ ନିଖୋଜ

ଖଇରା, ୮।୮(ଉତ୍କଳବନ୍ଧୁ ପଣ୍ଡା): ଶ୍ରାବଣ ସୋମବାର ଘଟିଛି ଏକ ଅଘଟଣ। ବାଲେଶ୍ୱର ଜିଲା ଖଇରା ବ୍ଲକ ସିମୁଳିଆ ଥାନା ଅଧୀନ ସାନଜୟୀପୁର ଗ୍ରାମର ବାବା ସର୍ବେଶ୍ୱରଙ୍କଠାରେ ଜଳଲାଗି ପାଇଁ ସାଳନ୍ଦୀରୁ ପାଣି ଉଠାଇବା ଲାଗି ଯାଇଥିବା ଦୁଇ କାଉଡିଆ ନିଖୋଜ ହୋଇଯାଇଛନ୍ତି। ସେମାନେ ହେଲେ ସାନଜୟୀପୁର ଗ୍ରାମର ରାଜେନ୍ଦ୍ର ସାହୁ(୧୯) ଓ ସୁବ୍ରତ କୁମାର ମହାକୁଡ(୨୨)। ଓଡ୍ରାଫ ଟିମ୍‌ ଓ ଅଗ୍ନିଶମ ବାହିନୀର ସମସ୍ତ ପରିଶ୍ରମ ସତ୍ତ୍ୱେ ସୋମବାର ସନ୍ଧ୍ୟା ପର୍ଯ୍ୟନ୍ତ ସେମାନଙ୍କର ପତ୍ତା ମିଳିପାରିନାହିଁ।
ଭୋର ସମୟରେ ଗ୍ରାମରୁ ପାଖାପାଖି ୧୮ଜଣ ଯୁବକ ବରଦା ନରିପୁର ପୋଲ ନିକଟରେ ଥିବା ସାଳନ୍ଦୀ ନଦୀ କୂଳକୁ ଯାଇଥିଲେ ା ପୂଜାପୂଜି ପରେ ପ୍ରଥମେ ସୁବ୍ରତ କଳସୀରେ ପାଣି ଆଣିବାକୁ ପଶିଥିଲେ। ହେଲେ କୂଳରେ ଏତେବଡ ଗଣ୍ଡ ଥିବା କେହି ଜାଣି ନ ଥିଲେ। ଗୋଡ ଖସିଯିବାରୁ ସେ ହାତ ହଲାଇ ଡାକିଥିଲେ। ପ୍ରଥମେ ଅନ୍ୟ ୫ଜଣ ତାଙ୍କୁ ଉଦ୍ଧାର କରିବକୁ ଚେଷ୍ଟା କରି ବିଫଳ ହୋଇଥିଲେ। ପୁନର୍ବାର ହାତ ଉପରକୁ ହଲାଇବାରୁ ରାଜେନ୍ଦ୍ର ତାଙ୍କ ପାଖକୁ ଯିବାରୁ ସୁବ୍ରତ ତାଙ୍କୁ ଜାବୁଡି ଧରିଥିଲେ । ଦୁହିଁଙ୍କୁ ଏଭଳି ଅବସ୍ଥାରେ ଦେଖି ଅନ୍ୟଜଣେ ସାଙ୍ଗ ସୁରେନ୍ଦ୍ର ମହାକୁଡ ପାଣି ଉପରକୁ ଦେଖାଯାଉଥିବା ରାଜେନ୍ଦ୍ରଙ୍କ ହାତକୁ ଟାଣିବାକୁ ଚେଷ୍ଟା କରିବା ବେଳେ ହାତଛନ୍ଦି ଯାଇଥିବାରୁ ସେ ଟାଣି ହୋଇଯାଇଥିଲେ। ଉଦ୍ଧାର ପାଇଁ ପ୍ରଥମେ ଗାମୁଛା ଓ ପରେ ବାହୁଙ୍ଗୀ ବ୍ୟବହାର କରାଯାଇଥିଲେ ହେଁ ତାହା କାମ ଦେଇ ନ ଥିଲା। ସେହି ରାସ୍ତା ଦେଇ ଯାଉଥିବା ବାଇକ ଆରୋହୀ କାଶିନାଥ ସାହୁ ପାଣିରେ ପଶି ବୁଦ୍ଧି ଖଟାଇ ସୁରେନ୍ଦ୍ରଙ୍କୁ ଟାଣି ଆଣିବାକୁ ସକ୍ଷମ ହୋଇଥିଲେ। ହେଲେ ରାଜେନ୍ଦ୍ର ଓ ସୁବ୍ରତ ପାଣି ଭିତରେ କୁଆଡେ ନିଖୋଜ ହୋଇଯାଇଥିଲେ। ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ହସ୍ତକ୍ଷେପ ପରେ ବିଦ୍ୟାଧରପୁର ଓ ଶାଳପଡା ବ୍ୟାରେଜରେ ଗେଟଗୁଡିକୁ ବନ୍ଦ କରି ଓଡ୍ରାଫ ଓ ଅଗ୍ନିଶମ ବାହିନୀ ଖୋଜାଖୋଜି କରିଥିଲେ ମଧ୍ୟ ସଫଳତା ମିଳିପାରିନାହିଁ। ଖଇରା ଅତିରିକ୍ତ ତହସିଲଦାର ସନ୍ଦୀପ ଶୁଭଦର୍ଶିନୀ ଧଳ, ଖଇରା ବ୍ଲକ ପ୍ରଶାସନ, ସିମୁଳିଆ ପୋଲିସ ଘଟଣା ଉପରେ ନଜର ରଖିଛନ୍ତି।