ଲକ୍‌ଡାଉନ୍‌ରେ ବି ଭାରତରେ ଜନ୍ମ ନେବେ ୨ କୋଟି ୧୦ ଲକ୍ଷ ଶିଶୁ: ଚାଇନା ଦ୍ୱିତୀୟ ସ୍ଥାନରେ

ଜେନେଭା, ୧୧।୭: ଚଳିତ ୨୦୨୦ ବର୍ଷରେ ପୃଥିବୀରେ ୧୧ କୋଟିରୁ ଅଧିକ ଶିଶୁ ଜନ୍ମ ହେବେ। କରୋନା ମହାମାରୀ ସଙ୍କଟରେ ବହୁ ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ତେବେ ମାର୍ଚ୍ଚ ୧୧ଠାରୁ ଡିସେମ୍ବର ୧୬ ମଧ୍ୟରେ ଶିଶୁମାନେ ଜନ୍ମନେବେ ବୋଲି ୟୁନିସେଫ୍‌ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ସମୟ ମଧ୍ୟରେ ଭାରତରେ ୨ କୋଟି ୧୦ ଲକ୍ଷ ଶିଶୁ ଜନ୍ମ ନେବେ। ଭାରତ ଶିଶୁ ଜନ୍ମ ସଂଖ୍ୟା କ୍ଷେତ୍ରରେ ପୃଥିବୀରେ ପ୍ରଥମ ସ୍ଥାନରେ ରହିବ। ଏହାପଛକୁ ଚାଇନା ଦ୍ୱିତୀୟ ସ୍ଥାନରେ ରହିବ। ଚାଇନାରେ କୋଟିଏ ୩୫ ଲକ୍ଷ ଶିଶୁ ଜନ୍ମ ହେବେ ବୋଲି ୟୁନିସେଫ୍‌ କହିଛି। କରୋନା ସଙ୍କଟ ଯୋଗୁ ପ୍ରସୂତି ଏବଂ ନବଜାତ ଶିଶୁଙ୍କୁ ଆବଶ୍ୟକ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା କେତେକ କ୍ଷେତ୍ରରେ ସମ୍ଭବ ହେବ ନାହିଁ ବୋଲି ରିପୋର୍ଟ ଉଲ୍ଲେଖ ରହିଛି। ସାଧାରଣତଃ ପ୍ରତିବର୍ଷ ପୃଥିବୀରେ ୨୮ ଲକ୍ଷରୁ ଅଧିକ ମା’ ଏବଂ ଶିଶୁଙ୍କର ମୃତ୍ୟୁ ଘଟିଥାଏ। ଚଳିତ ବର୍ଷ ଏହି ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। ଲଣ୍ଡନ ସ୍କୁଲ ଅଫ୍‌ ଇକୋନୋମିକ୍ସ୍‌ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ, କରୋନା ମହାମାରୀରେ ପୃଥିବୀର ଜନସଂଖ୍ୟା ଅନ୍ୟ ବର୍ଷ ତୁଳନାରେ ଅଧିକ ବୃଦ୍ଧି ପାଇବ।

Share