ପଡ଼ୋଶୀଙ୍କୁ ଦିଆଯିବ ୨ କୋଟି ଡୋଜ୍‌

ନୂଆଦିଲ୍ଲୀ, ୧୬।୧: ବିଶ୍ୱର ଅନ୍ୟତମ ସର୍ବାଧିକ ଟିକା ଉତ୍ପାଦନକାରୀ ଭାରତ ଏହାର ପଡୋଶୀ ଦେଶଗୁଡ଼ିକୁ ୨ କୋଟି କୋଭିଡ୍‌ ଟିକା ଡୋଜ୍‌ ପ୍ରଦାନ ଲାଗି ଯୋଜନା କରୁଛି। ଏହା ବ୍ୟତୀତ ବିଶ୍ୱର ବିଭିନ୍ନ ଦେଶକୁ ଟିକା ଯୋଗାଣ ଲାଗି ସରକାର ନୀତି ପ୍ରସ୍ତୁତ କରୁଛନ୍ତି। ଭାରତର ସିରମ୍‌ ଇନ୍‌ଷ୍ଟିଚ୍ୟୁଟ (ଏସ୍‌ଆଇଆଇ) ଏବଂ ଭାରତ ବାୟୋଟେକ୍‌ ଇଣ୍ଟରନ୍ୟାଶନାଲ ଲିଃଠାରୁ ଦେଶର ରାଷ୍ଟ୍ରାୟତ୍ତ କମ୍ପାନୀ ଟିକା କିଣି ଏହାକୁ ପଡୋଶୀ ନେପାଳ, ବାଂଲାଦେଶ, ଶ୍ରୀଲଙ୍କା, ଆଫଗାନିସ୍ତାନ, ସିଚେଲ୍ସ ଓ ମରିସସ୍‌କୁ ଯୋଗାଇଦେବ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି। ସହାୟତା ସ୍ବରୂପ କେତେକ ଡୋଜ୍‌ ମାଗଣାରେ ଯୋଗାଇଦିଆଯିବ ବୋଲି ଉକ୍ତ ଘଟଣା ସହ ସମ୍ପୃକ୍ତ ଅଧିକାରୀ ସୂଚନା ଦେଇଛନ୍ତି। ଆଗାମୀ ଦୁଇ ସପ୍ତାହ ମଧ୍ୟରେ ପ୍ରଥମ ବ୍ୟାଚ୍‌ କୋଭିଡ୍‌ ଟିକା ପଠାଯିବ। ଏହା ପରେ ସରକାର ଦକ୍ଷିଣ ଆମେରିକା, ଆଫ୍ରିକା ଓ ପୂର୍ବତନ ସୋଭିଏଟ୍‌ ରିପବ୍ଲିକ୍‌ସକୁ ଟିକା ପଠାଇବେ। ମହାମାରୀ କବଳିତ ଦକ୍ଷିଣ ଏସୀୟ ଦେଶଗୁଡ଼ିକୁ ସହାୟତାର ହାତ ବଢ଼ାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିକା ଉତ୍ପାଦନରେ ଭାରତର ନେତୃତ୍ୱର ଫାଇଦା ଉଠାଇବା ପାଇଁ ଚାହୁଁଛନ୍ତି। ଚାଇନା ମଧ୍ୟ ଏହାର ଟିକା ବିଭିନ୍ନ ଦେଶକୁ ପଠାଉଛି।

Share