କୁଆଁରମୁଣ୍ଡା, ୩।୪(ଡି.ଏନ୍.ଏ.): କେନ୍ଦ୍ରୀୟ ପଣ୍ୟ ଓ ସେବାକର ବିଭାଗ(ସିଜିଏସ୍ଟି) ପକ୍ଷରୁ ୨ ଦିନ ହେଲା କୁଆଁରମୁଣ୍ଡା- ହାତୀବାରୀ ରୋଡରେ ଥିବା ଟପ୍ଟେକ୍ ନାମକ ଇନ୍ଗଟ୍ କାରଖାନା ସମେତ ରାଉରକେଲା ସିଭିଲଟାଉନ୍ ଏବଂ ଛେଣ୍ଡ ଅଞ୍ଚଳରେ ଥିବା ଏହାର କାର୍ଯ୍ୟାଳୟରେ ଚଢାଉ କରିଥିଲା। ଚଢାଉ ବେଳେ ଅଧିକାରୀମାନେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଜିଏସ୍ଟି ଠକେଇ ହୋଇଥିବା ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛନ୍ତି। ଏପରି କି ଅଧିକାରୀମାନେ କାରଖାନା ମାଲିକ ଶ୍ୟାମ ବିହାରି ପ୍ରସାଦ ଏବଂ ପୁଅ ଶିବ ସୁନ୍ଦର ପ୍ରାସଦ ଓ ଅନିଲ ପାଣ୍ଡେ ନାମକ ଜଣେ ଅଂଶିଦାରଙ୍କୁ ଅଟକ ରଖି ପଚରାଉଚରା କରୁଛନ୍ତି। ଏପରିକି ଅଧିକାରୀମାନେ କମ୍ପାନୀର କାଗଜପତ୍ର ଜବତ କରି ଯାଞ୍ଚ କରୁଛନ୍ତି।
ସୂଚନା ଯୋଗ୍ୟ, କାରଖାନାରେ ଚୋରା ଲୁହା ସ୍କ୍ରାପକୁ ତରଲାଇ ବିଭିନ୍ନ ପ୍ରକାର ସାମଗ୍ରୀ ତିଆରି କରାଯାଇ ବଜାରରେ ବେଆଇନ ଭାବେ ବିକ୍ରି କରାଯାଉଥିଲା। ଏନେଇ କୌଣସି ସୂତ୍ରରୁ ବିଭାଗକୁ ଖବର ମଳିଥିଲା। ସିଜିଏସ୍ଟି ଗୋଇନ୍ଦା ଡେପୁଟି ଡାଇରେକ୍ଟର କୁନାଲ କୁମାରଙ୍କ ନେତୃତ୍ୱରେ ୨୦ ଜଣିଆ ଟିମ୍ ଉକ୍ତ କାରଖାନା ସମେତ କାର୍ଯ୍ୟାଳୟରେ ଚଢାଉ କରିଥିଲେ।