Categories: ଜାତୀୟ

ନୁଡୁଲ୍ସ ପ୍ୟାକେଟ୍‌ରୁ ୨ କୋଟିର ହୀରା ଜବତ

ମୁମ୍ବାଇ,୨୪ା୪:ସୀମାଶୁଳ୍କ ବିଭାଗ ଅଧିକାରୀମାନେ ମୁମ୍ବାଇ ବିମାନବନ୍ଦରରୁ ୬.୪୬ କୋଟି ଟଙ୍କାର ସୁନା ଓ ହୀରା ଜବତ କରିଛନ୍ତି। ଜଣେ ଯାତ୍ରୀ ନୁଡୁଲ୍ସ ପ୍ୟାକେଟରେ ହୀରାକୁ ଲୁଚାଇଥିବାବେଳେ ଅନ୍ୟମାନେ ନିଜ ଶରୀର ଏବଂ ବ୍ୟାଗେଜ୍‌ରେ ସୁନା ରଖିଥିଲେ। ଜବତ ସୁନାର ପରିମାଣ ୬.୮ କିଲୋଗ୍ରାମ ଓ ଦାମ୍‌ ୪.୪୪ କୋଟି ଟଙ୍କା ହେବ। ସେହିପରି ଜବତ ହୀରା ମୂଲ୍ୟ ୨.୦୨ କୋଟି ଟଙ୍କା ବୋଲି ଜଣାପଡ଼ିଛି। ଏହି ମାମଲାରେ ୪ ଜଣ ଯାତ୍ରୀଙ୍କୁ ଗିରଫ କରାଯାଇଛି। ମୁମ୍ବାଇରୁ ବ୍ୟାଙ୍କକ୍‌ ଯାଉଥିବା ଜଣେ ଭାରତୀୟ ଯାତ୍ରୀଙ୍କୁ ଅଟକାଯାଇ ତଲାସି କରାଯିବାବେଳେ ତାଙ୍କଠାରୁ ହୀରା ଜବତ କରାଯାଇଥିଲା। ସେ ତାଙ୍କ ଟ୍ରଲି ବ୍ୟାଗ୍‌ ଭିତରେ କେତେକ ନୁଡୁଲ୍ସ ପ୍ୟାକେଟ୍‌ରେ ଉକ୍ତ ହୀରାକୁ ଲୁଚାଇଥିଲେ। ସେହିପରି କଲମ୍ବୋରୁ ମୁମ୍ବାଇ ଆସିଥିବା ଜଣେ ବିଦେଶୀ ଯାତ୍ରୀଙ୍କଠାରୁ ୩୨୧ ଗ୍ରାମ ସୁନା ଜବତ ହୋଇଛି। ଉକ୍ତ ମହିଳା ଯାତ୍ରୀ ଜଣକ ତାଙ୍କ ଅନ୍ତଃବସ୍ତ୍ରରେ ଏହାକୁ ଲୁଚାଇଥିଲେ। ଏହା ବ୍ୟତୀତ ୧୦ ଜଣ ଭାରତୀୟ ଯାତ୍ରୀଙ୍କଠାରୁ ମୋଟ ୬.୧୯୯ କିଲୋଗ୍ରାମ ସୁନା ମିଳିଛି। ସେମାନେ ଶରୀର ଭିତରେ, ମଳଦ୍ୱାରରେ ଏବଂ ବ୍ୟାଗେଜ୍‌ରେ ସେଗୁଡ଼ିକୁ ଲୁଚାଇଥିଲେ। ସେମାନଙ୍କ ମଧ୍ୟରୁ ଦୁବାଇ ଓ ଆବୁଧାବିରୁ ୨ ଜଣ ଲେଖାଏ ଆସିଥିବାବେଳେ ବାହାରିନ୍‌, ଦୋହା, ରିୟାଧ, ମସ୍କାଟ, ବ୍ୟାଙ୍କକ୍‌ ଏବଂ ସିଙ୍ଗାପୁରରୁ ଜଣେ ଲେଖାଏ ଯାତ୍ରୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଗିରଫ କରାଯାଇଛି।

Share