ମାଲକାନଗିରି,୧୮ା୨(ଡି.ଏନ୍.ଏ.): ରାଜ୍ୟରେ ଗତ ଦୁଇ ବର୍ଷ ଧରି ସାଇବର ଲୁଟେରାଙ୍କ ପାଦୁର୍ଭାବ ବୃଦ୍ଧି ପାଇଚାଲିଛି। ଶୁକ୍ରବାର ମାଲକାନଗିରି ପୋଲିସ ୨ଜଣ ସାଇବର ଲୁଟେରାଙ୍କୁ ଗିରଫ କରିଥିବା ମାଲକାନଗିରି ଏସ୍.ପି. ନିତିଶ୍ ଓ୍ବାଧ୍ୱାନି କହିଛନ୍ତି। ଏ ସମ୍ପର୍କରେ ଓ୍ବାଧାନି କହିଛନ୍ତି, ଗତ ମେ ମାସରେ ଓର୍କେଲ ଥାନା ଅନ୍ତର୍ଗତ ଚିମିଟାପାଲ୍ଲି ଗ୍ରାମର ଚଞ୍ଚଳା ପାଙ୍ଗିଙ୍କୁ ତାଙ୍କର ୨୫ ଲକ୍ଷ ଟଙ୍କା ଲଟେରି ଉଠିଥିବା ଏବଂ ଏଥିପାଇଁ ୨୦ ହଜାର ଟଙ୍କା ବାନ୍ଧିବା ଲାଗି ଫୋନ ଆସିଥିଲା। ସେ ଟଙ୍କା ବାନ୍ଧିବ ପରେ ଠକାମିରେ ଶିକାର ହୋଇଥିବା ଜଣିପାରିଥିଲେ। ଏନେଇ ଓର୍କେଲ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ସେହିପରି ଓର୍କେଲ ଥାନା ନାଲିଗୁଡା ଗ୍ରାମର ସନିଆ ନାଲିଙ୍କ ପାଖକୁ ମଧ୍ୟ ତାଙ୍କର ଲଟେରି ଫୁଟିଥିବା ନେଇ ଫୋନ୍ ଆସିବାରୁ ସେ ୨ ଲ କ୍ଷ ୫୦ ହଜାର ଟଙ୍କା ବାନ୍ଧିଥିଲେ। ମାଥିଲି ଥାନା ଚାଉଲମେନ୍ଦି ଗ୍ରାମର ଜହ୍ନ ପାଙ୍ଗିଙ୍କ ପାଖକୁ ମଧ୍ୟ ୨୫ ଲକ୍ଷ ଟଙ୍କା ଲଟେରି ଫୁଟିଥିବା ଜାଣି ୨୬ ହଜାର ଟଙ୍କା ବାନ୍ଧିଥିଲେ। ତେବେ ସାଇବର ଲୁଟେରାମାନେ ଚଞ୍ଚକତା କରି ଏମାନଙ୍କ ଟଙ୍କା ହଡପ କରି ନେଇଥିଲେ ବୋଲି ଏସ୍ପି କହିଛନ୍ତି। ଏନେଇ ମାଲକାନଗିରି ପୋଲିସର ଏକ ସ୍ବତନ୍ତ୍ର ଟିମ୍ କନ୍ଧମାଳ ଜିଲ୍ଲା ଗୁମାଗଡ ଥାନା ଅନ୍ତର୍ଗତ କଲାଡି ଗ୍ରାମର ଦେବେଶ୍ୱର ଦେହୁରିଙ୍କ ଦୁଇ ପୁଅ ପ୍ରଦିପ ଓ କୈଳାସ ଦେହୁରିଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଏସ୍ପି ସୂଚନା ଦେଇଛନ୍ତି।