ଦାରିଙ୍ଗବାଡି, ୨୭।୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଇକୋ ରିଟ୍ରିଟ ପରିସରରେ ଗୁରୁବାର ପୂର୍ବାହ୍ନ ୧୧ଟାରେ ୨ ଦିନିଆ ପୁଞ୍ଜି ବିନିଯୋଗ କର୍ମଶାଳା ଶୁଭ ଉଦ୍ଘାଟନ ହୋଇଯାଇଛି। ଏହି ଅବସରରେ ପ୍ରଥମ ପର୍ଯ୍ୟାୟରେ ଅତିଥିମାନେ ଉପସ୍ଥିତ ପୁଞ୍ଜି ନିବେଶକାରୀଙ୍କୁ ଉତ୍ସାହିତ କରିବା ସହ କନ୍ଧମାଳ ଜିଲାରେ ପୁଞ୍ଜି ନିବେଶ କରିବା ଦ୍ୱାରା ସେମାନଙ୍କ ଫାଇଦା ସହ ଜିଲାରେ ଭରପୁର ସୁଯୋଗ ରହିଛି ବୋଲି କହିଛନ୍ତି।
ଏଥିସହ ପର୍ଯ୍ୟଟନକ୍ଷେତ୍ରର ବିକାଶ ସହ ଆୟୁର୍ବେଦିକ ଟୁରିଜିମ, ଏଗ୍ରୋ ଟୁରିଜିମ, ଫରେଷ୍ଟ ଟୁରିଜିମ, ଖାଦ୍ୟ ପ୍ରସ୍ତୁତିକରଣ, କୃଷି, ଶିକ୍ଷା, ପଶୁ ଓ ମତ୍ସ୍ୟ ଚାଷର ସୁଯୋଗ ସହ ହସ୍ପିଟାଲିଟି ଆଦି ପାଇଁ ପୁଞ୍ଜି ନିବେଶକାରୀଙ୍କୁ ପରାମର୍ଶ ଦିଆଯାଇଛି। ଏପରିକି ସେମାନଙ୍କୁ ଆବଶ୍ୟକ ଜମି ଯୋଗାଇଦେବାକୁ ପ୍ରଶାସନ ସମସ୍ତ ପୁଞ୍ଜି ନିବେଶକାରୀଙ୍କୁ ଜମି ପରିଦର୍ଶନ କରାଇଛନ୍ତି।
ସେହିପରି ପ୍ରଥମ ଦିନର ଦ୍ୱିତୀୟ ପର୍ଯ୍ୟାୟରେ ସନ୍ଧ୍ୟାରେ ସ୍ଥାନୀୟ କଳାକାରଙ୍କ ଦ୍ୱାରା ପାରମ୍ପରିକ କୁଇ ନୃତ୍ୟ ସମେତ ଭଜନ, ସଙ୍ଗୀତ ଆଦି ପରିବେଷଣ ହୋଇଛି। ସମ୍ବଲପୁରୀ, ଡେକା ବାଦ୍ୟରେ ନୃତ୍ୟ ଆଦିରେ ଉପସ୍ଥିତ ନିମନ୍ତ୍ରିତ ଅତିଥି ତଥା ପୁଞ୍ଜି ନିବେଶକାରୀମାନେ ଖୁସିବ୍ୟକ୍ତ କରିଛନ୍ତି।