ନୂଆଦିଲ୍ଲୀ,୬।୨: ସୁର ସାମ୍ରାଜ୍ଞୀ ଲତା ମଙ୍ଗେସ୍କରଙ୍କ ବିୟୋଗରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି। ଏନେଇ ଜାତୀୟ ପତାକା ୨ ଦିନ ପାଇଁ ଅର୍ଦ୍ଧନମିତ ରହିବ। ଏପରିକି ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଲତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନା ଯୋଗ୍ୟ, ଗତ ମାସରେ ୯୨ ବର୍ଷୀୟା ଲତା କୋଭିଡ୍-୧୯ରେ ସଂକ୍ରମିତ ହେବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ପରେ ସେ ନିମୋନିଆରେ ଆକ୍ରାନ୍ତ ହୋଇଥିଲେ। ଇତିମଧ୍ୟରେ ସେ କୋଭିଡ୍ ଏବଂ ନିମୋନିଆରୁ ଆରୋଗ୍ୟ ଲାଭ କରିଥିଲେ ସୁଦ୍ଧା ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହୋଇ ଭେଣ୍ଟିଲେଟରରେ ରହି ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ରବବାର ସକାଳେ ତାଙ୍କର ମୃତ୍ୟୁ ଘଟିଥିବା ଚିକିତ୍ସା କରୁଥିବା ଡାକ୍ତରୀ ଦଳ ପକ୍ଷରୁ ସୂଚନା ଦିଆଯାଇଛି।