୨ ଦିନ ପ୍ରବଳ ଛେଚିବ

ଭୁବନେଶ୍ୱର,୧ା୮(ଅନିଲ ଦାସ):କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୧୨ ଘଣ୍ଟାରେ ଆହୁରି ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଅଗଷ୍ଟ ୪ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଲଘୁଚାପ ପ୍ରଭାବରେ ମହାନଦୀ ଉପରମୁଣ୍ଡ ଛତିଗଡରେ ଅତି ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି। ଏଥିଯୋଗୁ ମହାନଦୀ, ବୈତରଣୀ, ସୁବର୍ଣ୍ଣରେଖା, ବୁଢାବଳଙ୍ଗ ନଦୀ ଫୁଲିବ। ଏପରିକି ଏହି ନଦୀଗୁଡିକରେ ବନ୍ୟା ହେବାର ସମ୍ଭାବନା ଆଶଙ୍କା ସୃଷ୍ଟି ହୋଇଛି।
ପାଣିପାଗ ବିଭାଗ ସୂଚନା ଅନୁଯାୟୀ ମଙ୍ଗଳବାର ଓ ବୁଧବାର ଅଧିକାଂଶ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂଚନା ଅନୁସାରେ ମଙ୍ଗଳବାର ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, କେନ୍ଦ୍ରାପଡା, କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା ଓ ଢେଙ୍କାନାଳ ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲାରେ ୧୫ରୁ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ଏହି ଜିଲାଗୁଡିକ ପାଇଁ ଅରେଞ୍ଜ ୱାର୍ନିଂ ଜାରି କରାଯାଇଛି। ସେହିପରି ଏହି ସମୟରେ କେନ୍ଦୁଝର, ଅନୁଗୋଳ, ଦେବଗଡ, ସୁନ୍ଦରଗଡ, ସମ୍ବଲପୁର, ସୋନୁପର, ବୌଦ୍ଧ, କନ୍ଧମାଳ, ରାୟଗଡା, ନବରଙ୍ଗପୁର, କୋରାପୁଟ ଏବଂ ନୟାଗଡରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ। ଏହି ସବୁ ଜିଲା ପାଇଁ ୟେଲୋ ୱାର୍ନିଂ ଜାରି କରାଯାଇଛି। ସେହିପରି ବୁଧବାର ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ଦେବଗଡ, ସମ୍ବଲପୁର, ସୋନପୁର, ବୌଦ୍ଧ, ସୁନ୍ଦରଗଡ, କଟକ ଓ ବାଲେଶ୍ୱର ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ମୌସୁମୀ ସକ୍ରିୟ ରହିଥିବାରୁ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ହୋଇଛି। ଭୁବନେଶ୍ୱରରେ ସର୍ବାଧିକ ୧୮୬ ମିଲିମିଟର ବର୍ଷା ହୋଇଥିବା ବେଳେ, ଚାନ୍ଦବାଲିରେ ୨୦, ବାରିପଦାରେ ୧୪.୨, ତାଳଚେରରେ ୪୨, ଫୁଲବାଣୀ ୧୮.୨, ସୋନପୁର ୧୬.୮, ନୟାଗଡରେ ୧୯.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

Share