ଦୂର ସ୍ଥାନକୁ ଭୋଟ ଦେବାକୁ ଯିବାକୁ ଥିବା କର୍ମଚାରୀଙ୍କୁ ୨ ଦିନ ସ୍ବତନ୍ତ୍ର ଛୁଟି

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):ରାଜ୍ୟରେ ଲୋକ ସଭା ଓ ବିଧାନସଭା ନିର୍ବାଚନ କାର୍ଯ୍ୟରେ ନିୟୋଜିତ ସରକାରୀ କର୍ମଚାରୀଙ୍କୁ ଗୋଟିଏ ଦିନ ସ୍ବତନ୍ତ୍ର ସାମୟିକ ଛୁଟି ମିଳିବ। ମଙ୍ଗଳବାର ଏନେଇ ରାଜ୍ୟ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ସମସ୍ତ ବିଭାଗୀୟ ସଚିବ ଓ ମୁଖ୍ୟମାନଙ୍କୁ ଚିଠି ଲେଖି ଅବଗତ କରିଛନ୍ତି। ସୂଚନା ଅନୁସାରେ, ଯେଉଁ ସରକାରୀ କର୍ମଚାରୀମାନେ ସାଧାରଣ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହେବେ ସେମାନଙ୍କୁ ଡ୍ୟୁଟି ପରେ ଗୋଟିଏ ଦିନ ସ୍ବତନ୍ତ୍ର ସାମୟିକ ଛୁଟି ଦିଆଯିବ। ସେମାନେ ପ୍ରତ୍ୟେକ କ୍ୟାଲେଣ୍ଡର ବର୍ଷରେ ପାଉଥିବା କାଜୁଆଲ ଲିଭ୍‌ ଓ ସ୍ପେଶାଲ ସିଏଲ୍‌ ବ୍ୟତୀତ ଏହି ସାମୟିକ ଛୁଟି ପାଇବେ। ସେହିପରି ଯେଉଁ ସରକାରୀ କର୍ମଚାରୀମାନେ ଭୋଟ୍‌ ଦେବା ପାଇଁ ଦୂର ସ୍ଥାନକୁ ଯିବେ(ନିଜ ମୁଖ୍ୟାଳୟଠାରୁ ଦୂର) ସେମାନଙ୍କୁ ସର୍ବାଧିକ ୨ ଦିନ ସ୍ବତନ୍ତ୍ର ସାମୟିକ ଛୁଟି ମିଳିବ। ରାଜ୍ୟରେ ମେ’ ୧୩, ୨୦, ୨୫ ଓ ଜୁନ୍‌ ୧ ତାରିଖରେ ୪ଟି ପର୍ଯ୍ୟାୟରେ ମତଦାନ ହେବାକୁ ଯାଉଛି। ମତଦାନ ଦିନ ନିର୍ବାଚନମଣ୍ଡଳୀ ଅଞ୍ଚଳରେ ସରକାରୀ ଛୁଟି ଘୋଷଣା କରାଯାଇଛି।

Share