କୁଜଙ୍ଗ, ୧୯ା୯ (ମନୋଜ ପ୍ରଧାନ): କୁଜଙ୍ଗ ବ୍ଲକ ତଥା ଲକ୍‌ଥାନା ଅନ୍ତର୍ଗତ ଭୂତମୁଣ୍ଡାଇ ଗ୍ରାମରେ ପୃଥକ୍‌ ଘଟଣାରେ ସୋମବାର ୨ ଜଣଙ୍କ ମୃତଦେହ ମିଳିଛି। ଏହି ଗ୍ରାମର ସୌଦାଗର ଜେନାଙ୍କ ପୁଅ ଅମୂଲ୍ୟଙ୍କ ଝୁଲନ୍ତା ମୃତଦେହ ଘର ନିକଟ ସରକାରୀ ଜାଗାରେ ଥିବା ତେନ୍ତୁଳି ଗଛରୁ ପୋଲିସ ଜବତ କରିଛି। ଏନେଇ ଥାନାରେ ଅପମୃତ୍ୟୁ ମାମଲା (ନଂ. ୧୩/୨୩) ରୁଜୁ କରାଯାଇଛି। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଛି ବୋଲି ଥାନା ଅଧିକାରୀ କୁଳମଣି ସେଠୀ କହିଛନ୍ତି। ସେହିପରି ଏହି ଗ୍ରାମର ପାରାଦୀପ ଦୈତାରି ରେଳପଥର ନିକଟରୁ ଏକ କ୍ଷତବିକ୍ଷତ ମୃତଦେହ ମିଳିଛି। ମୃତକ ଜଣକ ହେଲେ ଲକ୍‌ ଥାନା ଅନ୍ତର୍ଗତ ଭୂତମୁଣ୍ଡାଇ ଗ୍ରାମର ରବୀନ୍ଦ୍ର ଖଟାଇଙ୍କ ପୁଅ ପପନ ଖଟାଇ । ତାଙ୍କ ମୃତଦେହ ନିକଟରୁ ଏକ ବାଡି ଓ ଟର୍ଚ୍ଚ ମଧ୍ୟ ମିଳିଛି । ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ପପନ ଧାନ କିଆରିକୁ ରାତିରେ ଷଣ୍ଢ ବାଡେଇବାକୁ ଯାଇଥିବାବେଳେ ଟ୍ରେନ ସହ ଧକ୍କା ହୋଇଛନ୍ତି। ତେବେ ପ୍ରକୃତ କାରଣ ଜଣାପଡ଼ି ନ ଥିବାବେଳେ ଜିଆରପି ପୋଲିସ ମୃତଦେହ ଜବତ କରିଛି।

Share