ବନ୍ୟା ଆଣିଛି ବିପତ୍ତି: ସାପ କାମୁଡ଼ା, ନଦୀରେ ଭାସି ଚାଲିଗଲା ୨ ଜୀବନ

ଭଞ୍ଜନଗର,୧୮।୮(ଡି.ଏନ୍‌.ଏ.): ରାଜ୍ୟରେ ବନ୍ୟା ସ୍ଥିତି ସଙ୍ଗିନ ହୋଇଛି। ବହୁ ଲୋକେ ପାଣି ଘେରର ଥିବା ବେଳେ ଜନବନ୍ଦି ହୋଇ ରହିଛନ୍ତି। ଏଭଳିସ୍ଥିତିରେ ମଣିଷ ଏବଂ ଗୃହପାଳିତ ପ୍ରାଣୀଙ୍କ ପାଇଁ ସାପ ଭୟ ଘାରିଛି। ଏହି ସମୟରେ ଗଞ୍ଜାମ ଜିଲାରୁ ଗୁରୁବାର ଆସିଛି ଏକ ଦୁଃଖଦ ଖବର। ସାପ କାମୁଡ଼ାରେ ଗାଲେରୀ ଫାଣ୍ଡି ଅଧୀନ ରାଇଗୋଚ୍ଛା ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଲିଲି ନାୟକ(୨୫)।

ମିଳିଥିବା ସୂଚନା ମୁତାବକ, ଲିଲି ଘରେ ଶୋଇଥିବା ବେଳେ ଭୋରରେ ଏକ ବିଷଧର ସାପ କାମୁଡି ଦେଇଥିଲା। ଏହା ଜାଣି ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲକୁ ଆଣିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ସେହିପରି ନଦୀରେ ଭାସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାରସିଂ ଥାନା ଅନ୍ତର୍ଗତ ପେଟାକିଆରୀ ଗ୍ରାମର ଦାମ ସେଠୀ ଗୁରୁବାର ଝାଲିଆଗୋଚ୍ଛା ନଦୀକୁ ଗାଧୋଇବାକୁ ଯାଇଥିଲେ। ସେତିକିବେଳେ ବନ୍ୟା ଜଳରେ ସେ ଭାସି ଯାଇଥିଲେ। ଗ୍ରାମବାସୀ ଖୋଜାଖୋଜି ପରେ ଦାମଙ୍କ ମୃତଦେହ ଉଦ୍ଧାର କରିଥିଲେ। ଖବର ପାଇ ପୋଲିସ ଏବଂ ରାଜସ୍ବ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Share