ଜେନେରେଟର ଧୂଆଁରେ ଶ୍ୱାସରୁଦ୍ଧ ହୋଇ ୨ ମୃତ, ଜଣେ ଗୁରୁତର

ଗଜପତି,୧୮ା୨(ଡି.ଏନ୍‌.ଏ.): ଜେନେରେଟର ଧୂଆଁରେ ଶ୍ୱାସରୁଦ୍ଧ ହୋଇ ୨ ମୃତ, ଜଣେ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି ଗଜପତି ଜିଲା ଆର. ଉଦୟଗିରି ଥାନା ଶିଆଳିଲଟି ପଞ୍ଚାୟତ ବେତାରସିଂ ଗ୍ରାମରେ। ମୃତକମାନେ ହେଲେ ଗଣେଶ ନାୟକ (୧୮) ଏବଂ ଅମ୍ବିକା ନାୟକ (୧୨) । ଗୁରୁତର ୭ବର୍ଷର ଝିଅ ଝୁମୁରି ନାୟକ ଚନ୍ଦ୍ରଗିରି ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି।
ସୂଚନାଯୋଗ୍ୟ, ଶୁକ୍ରବାର ମାଧବ ନାୟକଙ୍କ ପରିବାରରେ ବିବାହ ଭୋଜିରେ ଜେନେରେଟର୍‌ ବ୍ୟବହାର କରାଯାଇଥିବା ବେଳେ ଏହି ଜେନେରେଟର୍‌ଟି ଶାନ୍ତି ନାୟକଙ୍କ ଘର ପଟକୁ ମୁହଁ କରି ରଖାଯାଇଥିଲା। ସେହି ଘରେ ମାଧବ ନାୟକ ଓ ମୃତକମାନେ ଶୋଇଥିଲେ। ଫଳରେ କାର୍ବନ ମନୋକ୍ସାଇଡ୍‌ର ମାତ୍ରା ଅଧିକ ହେବା ଯୋଗୁ ଶ୍ୱାସରୁଦ୍ଧ ହୋଇ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି l ମୃତକ ଦୁଇଜଣ ସମ୍ପର୍କରେ ଦାଦା- ଝିଆରୀ। ଗୁରୁତର ଝୁମୁରୀଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିବା ବେଳେ ଚନ୍ଦ୍ରଗିରି ଫାଣ୍ଡି ଅଧିକାରୀ ପୁରଷୋତ୍ତମ ପାଇକ ଘଟଣାର ତଦନ୍ତ ଜାରି ରଖିଛନ୍ତି।

Share