Categories: ଗଞ୍ଜାମ

ଚାହିଁ ବସିଥିଲା ମୃତ୍ୟୁ: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଚାଷୀ ଦମ୍ପତିଙ୍କ ଜୀବନ

ହିଞ୍ଜିଳିକାଟୁ,୧୨ା୧୨(ଡି.ଏନ୍‌.ଏ.)-ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଶେରଗଡ଼ ଥାନା ଅନ୍ତର୍ଗତ ବୁରୁପୋଡ଼ା ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। କୋବି କିଆରିରେ ଛିଣ୍ଡି ପଡ଼ିଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଷୀ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ବୁରୁପୋଡ଼ା ଗ୍ରାମର ହୀନ ସାମଲ (୬୫) ଓ ତାଙ୍କ ସ୍ତ୍ରୀ ବିଷ୍ଣୁ (୫୫)। ପୋଲିସ ବ୍ରହ୍ମପୁର ବଡ଼ ମେଡିକାଲରେ ମୃତଦେହ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏ ନେଇ ଶେରଗଡ଼ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।
ଶନିବାର ଭୋରରେ ସ୍ତ୍ରୀ ବିଷ୍ଣୁଙ୍କ ସହ ହୀନ ନିଜେ ଚାଷ କରିଥିବା ଫୁଲକୋବି କିଆରିକୁ ଯାଇଥିଲେ। କୋବି ଆଣି ବିକ୍ରି ପାଇଁ ନେଇଥାନ୍ତେ। ବିଲ ପାଖ ଏଲ୍‌ଆଇ ପମ୍ପ ହାଉସ୍‌କୁ ସଂଯୋଗ କରୁଥିବା ଏଲ୍‌ଟି ବିଦ୍ୟୁତ ତାର ଛିଣ୍ଡି କୋବି କିଆରିରେ ପଡ଼ିଥିବା ଦମ୍ପତି ଜାଣିପାରି ନ ଥିଲେ। ପ୍ରଥମେ ବିଷ୍ଣୁ ଉକ୍ତ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚିତ୍କାର କରିଥିଲେ। ସ୍ତ୍ରୀଙ୍କୁ ଉଦ୍ଧାର କରିବାକୁ ଯାଇ ହୀନ ମଧ୍ୟ ବିଦ୍ୟୁତ ତାରରେ ଲାଗି ଯାଇଥିଲେ। ପାଖ ବିଲରେ କାମ କରୁଥିବା ଅନ୍ୟ ଚାଷୀ ଏହା ଜାଣିପାରି ଲାଇନ୍‌ କାଟି ଦମ୍ପତିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ଗ୍ରାମବାସୀଙ୍କ ସହାୟତାରେ ପରିବାର ଲୋକେ ସେମାନଙ୍କୁ ହିଞ୍ଜିଳିକାଟୁ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ହୀନ ଓ ବିଷ୍ଣୁଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।