୩୦ ଦିନରେ ୭୮୨ ଥର ଭୂକମ୍ପ: ଲୋକେ ଆତଙ୍କିତ

ଜାକର୍ତ୍ତା,୧୭।୧: ଇଣ୍ଡୋନେସିଆରେ ଘଟିଥିବା ଭୂକମ୍ପରେ ଇତିମଧ୍ୟରେ ମୃତ୍ୟୁ ସଂଖ୍ୟା ୫୬ ଛୁଇଁଛି। ସେହିପରି ଏହି ଘଟଣାରେ ଆହତଙ୍କ ସଂଖ୍ୟା ୮୦୦ ଟପିଛି। ସୁରକ୍ଷା ଦୃଷ୍ଟିରୁ ୧୫ ହଜାରରୁ ଅଧିକ ଲୋକଙ୍କୁ ପ୍ରଶାସନ ପକ୍ଷରୁ ସ୍ଥାନାନ୍ତର କରାଯାଇଛି। ଲଗାତାର ଭୂକମ୍ପ ଯୋଗୁ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ତେଣୁ ଘରେ ରହିବାକୁ ସୁରକ୍ଷିତ ମଣୁ ନାହାନ୍ତି। ଏଠାରେ ଗତ ୩୦ ଦିନ ମଧ୍ୟରେ ଏଠାରେ ୭୮୨ ଥର ଭୂକମ୍ପ ହୋଇଛି। ସେଥିମଧ୍ୟରୁ ରିକ୍ଟର ସ୍କେଲରେ ୬.୦ ଅବା ଏହାଠାରୁ ଅଧିକ ତୀବ୍ରତାଯୁକ୍ତ ୩ ଥର ଭୂକମ୍ପ ହୋଇଛି। ସେହିପରି ୫.୦ରୁ ୬.୦ ତୀବ୍ରତାଯୁକ୍ତ ୨୨ ଭୂକମ୍ପ, ୪.୦ରୁ ୫.୦ ତୀବ୍ରତାଯୁକ୍ତ ୧୪୩ ଭୂକମ୍ପ, ୩.୦ରୁ ୪.୦ ତୀବ୍ରତାଯୁକ୍ତ ୩୬୭ ଭୂକମ୍ପ ହୋଇଛି। ଅପରପକ୍ଷରେ ୨.୦ରୁ ୩.୦ ତୀବ୍ରତାଯୁକ୍ତ ୨୪୭ ଥର ଭୂକମ୍ପ ହୋଇଥିବା ସ୍ଥାନୀୟ ଭୂବିଜ୍ଞାନ ଗବେଷଣା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ବାରମ୍ବାର ଭୂକମ୍ପ ହେଉଥିବାରୁ ଏଠାରେ କୌଣସି ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ସମ୍ଭବ ହେଉ ନାହିଁ। ସେହିପରି ଉଦ୍ଧାର କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହେଉଛି। ଏହାଯୋଗୁ ଦେଶର ଆର୍ଥିକ ସ୍ଥିତି ଧୀରେଧୀରେ ଖରାପ ହେବାରେ ଲାଗିଛି।

Share