କୋଟିଆ ପଞ୍ଚାୟତର ନୂଆ ଭୋଟକେନ୍ଦ୍ର ଉପରେ ମୋହର ମାରିଲେ କେନ୍ଦ୍ର ନିର୍ବାଚନ ଅଧିକାରୀ: ଗ୍ରାମରେ ଖେଳିଗଲା ଖୁସି

ପଟ୍ଟାଙ୍ଗି,୧୯।୧୦(ଶରତ ଧଳ): ଓଡ଼ିଶାର ଭୋଟରଙ୍କ ଦୁର୍ବଳତାର ଫାଇଦା ଉଠାଇ ପଡୋଶୀ ଆନ୍ଧ୍ର ରାଜ୍ୟ ନିଜ ସପକ୍ଷରେ ପଞ୍ଚାୟତ ଓ ବିଧାନସଭା ଦୁଇଟି ନିର୍ବାଚନରେ ଫାଇଦା ଉଠାଇ ଚାଲିଥିଲା । ଏହିପରି ସ୍ଥିତିରେ ଓଡ଼ିଶାର ଜିଲା ପ୍ରଶାସନ ଏବଂ ବ୍ଲକ ପ୍ରଶାସନ ପାଇଁ ଏକ ବଡ଼ ଚିନ୍ତା ର ବିଷୟ ହୋଇଥିବା ବେଳେ ଗତ ବିଧାନସଭା ନିର୍ବାଚନ ପୂର୍ବରୁ କୋରାପୁଟ ଜିଲା ଗସ୍ତରେ ଆସିଥିବା ରାଜ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ ଦୃଷ୍ଟିକୁ ଜିଲା ପ୍ରଶାସନ ପକ୍ଷରୁ ନିଆ ଯାଇଥିଲା। ଆଜି ସୀମାନ୍ତବାସୀଙ୍କ ସମସ୍ୟାର ସମାନ ହୋଇଥିବା ଏଥିରୁ ପ୍ରତିଫଳିତ ହୋଇ ପାରିଛି। ଜିଲାର ପଟ୍ଟାଙ୍ଗି ବ୍ଲକ ପ୍ରଶାସନ ଅଧିନରେ ରହିଥିବା କୋଟିଆ ପଞ୍ଚାୟତ କ୍ଷେତ୍ରରେ ଏହିପରି ଦୃଶ୍ୟ ଦେଖିବାକୁ ମିଳିଛି।

ସୂଚନା ମୁତାବକ, ଉକ୍ତ ପଞ୍ଚାୟତରେ ୯ଟି ବୁଥ ରହିଥିବାବେଳେ ୦୫ଟି ବୁଥ ଆନ୍ଧ୍ର ସୀମାକୁ ଲାଗି ରହିଛି । ସେଥିମଧ୍ୟରୁ ଗୋଟିଏ ବୁଥ. ଯାହାକି ରଣାସିଂ ବୁଥକୁ ନେଇ ପଞ୍ଚାୟତ ଏବଂ ବିଧାନସଭା ଦୁଇ ନିର୍ବାଚନ ସମୟରେ ଓଡିଶା ପାଇଁ ହେଉ ବା ଜିଲା ଓ ବ୍ଲକ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିଲା। ଉକ୍ତ ବୁଥ ଉପରେ କୋଟିଆ ପଞ୍ଚାୟତର ନେରିଡିବାଲସା, ତାଡିବାଲସା, ଆର୍ଜୁବାଲସା, ଧୁଳିପଦର ପରି ସୀମାନ୍ତ ଗ୍ରାମର ଭୋଟର ମାନେ ନିର୍ଭର କରୁଥିବାବେଳେ ନିଜ ମତଦାନ ସାବ୍ୟସ୍ତ କରିବା
ପାଇଁ ଦୀର୍ଘ ୩୪ କିଲୋମିଟର ଦୂରତା ଆସିବାକୁ ପଡୁଥିଲା। ଏହିପରି ସମସ୍ୟାକୁ ରାଜ୍ୟ ନିର୍ବାଚନ ଅଧିକାରୀ ହୃଦୟଙ୍ଗମ କରି ଜିଲାପାଳ ଭି ର୍କିତ୍ତି ଭାସନ ଏବଂ ପଟ୍ଟାଙ୍ଗି ବିଡ଼ିଓ ସୁକାନ୍ତ କୁମାର ପଟ୍ଟନାୟକଙ୍କ ପ୍ରସ୍ତାବ କ୍ରମେ ତାଡିବାଲସା ଗ୍ରାମକୁ ନୂତନ ବୁଥ ଭାବେ ମୋହର ମାରିଛନ୍ତି।

ଏଠାରେ ସୂଚନା ଥାଉ କି, ରଣାସିଂ ବୁଥରେ ୫୯୪ ଭୋଟର ରହିଥିବା ବେଳେ ବର୍ତ୍ତମାନ ନୂତନ ବୁଥ ଭାବେ ତାଡିବାଲସାକୁ କେନ୍ଦ୍ର ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ମୋହର ବାଜିବା ପରେ କୋଟିଆ ପଞ୍ଚାୟତରେ ୯ଟି ବୁଥ ସ୍ଥାନରେ ୧୦ଟି ବୁଥ ହୋଇଥିବା ବେଳେ ନୂତନ ବୁଥରେ ୪୦୩ ଭୋଟର ରହିଥିବା ଜଣାପଡ଼ିଛି ।

ଅନ୍ୟପକ୍ଷରେ ପୁର୍ବରୁ ରଣାସିଂ ବୁଥର ଦୂରତାକୁ ଦୃଷ୍ଟିରେ ରଖି ପଡୋଶୀ ଆନ୍ଧ୍ର ରାଜ୍ୟ ନେରିଡିବାଲସାରେ ନିଜର ବୁଥ କରି ଓଡିଶା ତଥା କୋରାପୁଟ ଏବଂ ପଟ୍ଟାଙ୍ଗି ପ୍ରଶାସନ ପାଇଁ ମୁଣ୍ଡବିନ୍ଧା କାରଣ ପାଲଟିଥିଲା। ବର୍ତ୍ତମାନ ନେରିଡିବାଲସା ଗ୍ରାମ ନିକଟବର୍ତ୍ତୀ ତାଡିବାଲସା ଗ୍ରାମରେ ଓଡିଶା ପକ୍ଷରୁ ନୂତନ ବୁଥ ହେବା ପରେ ଆନ୍ଧ୍ର ପାଇଁ ଏହା ଏକ ଚ୍ୟାଲେଞ୍ଜର ଦୃଶ୍ୟ ହୋଇଥିବା ସହ ଆସନ୍ତା ନିର୍ବାଚନ ପାଇଁ ଏକ ପ୍ରକାର ଚିନ୍ତାର କାରଣ ହୋଇପାରେ ବୋଲି ଜଣାପଡିଛି।

Share