୨ ହାତୀ ମୃତଦେହ ଜବତ, ବିଷକ୍ରିୟା ସନ୍ଦେହ

ସମ୍ବଲପୁର/ଜମନକିରା,୭ା୧୦(ବ୍ୟୁରୋ/ଡି.ଏନ.ଏ.):ସମ୍ବଲପୁର ଜିଲା ବାମରା ବନଖଣ୍ଡ ଭୁତେଲ ରେଞ୍ଜ ତିଲେଇମାଲ ଗ୍ରାମ ନିକଟରୁ ଗୁରୁବାର ସକାଳେ ଗୋଟିଏ ଦନ୍ତା ଓ ଗୋଟିଏ ମାଈ ହାତୀର ମୃତଦେହ ଜବତ ହୋଇଛି। ଦନ୍ତା ହାତୀ ଟମାଟୋ କିଆରିରେ ଓ ମାଈ ହାତୀ ଧାନ ବିଲରେ ପଡିରହିଥିଲା। ବିଷକ୍ରିୟା ଯୋଗୁ ହାତୀ ଦ୍ୱୟର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ବୋଲି ବାମରା ଡିଏଫ୍‌ଓ ଫାଲଗୁନୀ ସାରଥି ମଲ୍ଲିକ କହିଛନ୍ତି। ସେ ଆହୁରି କହିଛନ୍ତି, ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇ ବନ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚତ୍ଥିଲେ। ମୃତ ଦୁଇ ହାତୀ ନିକଟ ଜଙ୍ଗଲରୁ ଖାଦ୍ୟ ଅନ୍ବେଷଣରେ ଆସିଥିଲେ। ଧାନ ବିଲରେ କୀଟନାଶକ ପଡିଥିବା ଜଣାପଡିଛି। ଜମି ମାଲିକ ମଧ୍ୟ ଦୁଇଦିନ ତଳେ କୀଟନାଶକ ପକାଇଥିବା ସ୍ବୀକାର କରିଥିଲେ। ମୃତ ଦନ୍ତା ହାତୀର ବୟସ ୮ବର୍ଷ ଓ ମାଈ ହାତୀର ବୟସ ୧୩ବର୍ଷ ହେବ। ଅନ୍ୟପଟେ ମୃତ ଦୁଇ ହାତୀ ଶରୀରରେ କୌଣସି କ୍ଷତଚିହ୍ନ ନାହିଁ। ତେଣୁ ବିଷକ୍ରିୟା ଯୋଗୁ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ଶୁକ୍ରବାର ମୃତଦେହ ବ୍ୟବଚ୍ଛେଦ କରାଯିବ। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ସେ କହିଥିଲେ।
ଜିଲାର ବାମରା, ସମ୍ବଲପୁର ଓ ରେଢାଖୋଲ ବନଖଣ୍ଡରେ ଏକବର୍ଷ ଭିତରେ ପ୍ରାୟ ୧୦ରୁ ଊର୍ଦ୍ଧ୍ୱ ହାତୀଙ୍କ ମୃତ୍ୟୁ ଘଟିଲାଣି। ମୁଖ୍ୟତଃ ଦାନ୍ତ ପାଇଁ ଶିକାରୀମାନେ ବିଦ୍ୟୁତ୍‌ ତାର ବିଛାଇ, ଗୁଳି କରି ହାତୀ ଶିକାର କରୁଛନ୍ତି। ବିଭାଗୀୟ ଅଧିକାରୀ ଓ କର୍ମଚାରୀ କାର୍ଯ୍ୟାନୁଷ୍ଠାନ ଭୟରେ ଠିକ୍‌ ସୂଚନା ଦେଉନାହାନ୍ତି। ବରଂ ହାତୀ ମୃତ୍ୟୁ ଖବର ପାଇବା ପରେ ମୃତଦେହକୁ ନିଅଁାରେ ପୋଡି ପ୍ରମାଣ ନଷ୍ଟ କରି ଦିଆଯାଉଛି। ସଦର ରେଞ୍ଜ ମୁଣ୍ଡେର ଜଙ୍ଗଲରେ ଏଭଳି ଏକ ଘଟଣା ଘଟିଥିଲା। ପାଉଁଶ ଓ ହାଡ଼ ସଂଗ୍ରହ କରି ବନ ବିଭାଗ ଯାଞ୍ଚ ପାଇଁ ପଠାଇଛି। ହେଲେ ଏକବର୍ଷ ବିତିଯାଇଥିଲେ ମଧ୍ୟ ରିପୋର୍ଟ ଆସି ପାରି ନାହିଁ। ଗତ ଜୁଲାଇ ୨୪ରେ ଧମା ରେଞ୍ଜ କୋଲଗଁା ନିକଟରୁ ଏସ୍‌ଟିଏଫ୍‌ ଟିମ୍‌ ହାତୀର ହାଡ଼ ଜବତ କରିଥିଲା। ଏହି ଘଟଣା ମଧ୍ୟ ତଦନ୍ତାଧୀନ ରହିଛି।

Share