ମାର୍ଚ୍ଚ ୫ରୁ ଯୁକ୍ତ୨ ପରୀକ୍ଷା

ଭୁବନେଶ୍ୱର,୨୨ା୭(ଅନୁରାଧା ମହାରଣା): ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ନୂଆ ଶିକ୍ଷାବର୍ଷ ୨୦୨୩-୨୪ ପାଇଁ ଏକାଡେମିକ କ୍ୟାଲେଣ୍ଡର ପ୍ରସ୍ତୁତ କରିଛି। ଏଥିସହ ଏହାର କାର୍ଯ୍ୟକାରିତା ନେଇ ଅଧ୍ୟକ୍ଷମାନଙ୍କ ମତାମତ ମଧ୍ୟ ନିଆଯାଇଛି। କ୍ୟାଲେଣ୍ଡର ଅନୁସାରେ କାମ କରିବା ସହ ପ୍ରୋକ୍ଟରିଆଲ କ୍ଲାସ୍‌କୁ ଗୁରୁତ୍ୱ ଦିଆଯାଇଛି। ଅଗଷ୍ଟ ପହିଲାରୁ ଯୁକ୍ତ୨ ପ୍ରଥମ ବର୍ଷ ପାଠପ଼ଢ଼ା ଆରମ୍ଭ ହେବାକୁ ଥିବାବେଳେ ନୂଆ ଶିକ୍ଷାବର୍ଷ ପାଇଁ ଏକାଡେମିକ କ୍ୟାଲେଣ୍ଡର ଉଭୟ ପ୍ରଥମ ଓ ଦ୍ୱିତୀୟ ବର୍ଷ ଛାତ୍ରୀଛାତ୍ରଙ୍କ ପାଇଁ କାର୍ଯ୍ୟକାରୀ କରାଯିବ। ପ୍ରଥମ ବର୍ଷ ବାର୍ଷିକ ପରୀକ୍ଷା ୨୦୨୪ ଏପ୍ରିଲ ୨୫ରୁ ଆରମ୍ଭ ହୋଇ ମେ ୫ରେ ସରିବ। ଏହାପରେ ଗ୍ରୀଷ୍ମ ଛୁଟି କରାଯିବ। ପୂଜା ଛୁଟି ପୂର୍ବରୁ ଦ୍ୱିତୀୟ ବର୍ଷର ଇଣ୍ଟରନାଲ ପରୀକ୍ଷା କରାଯିବ। ଦ୍ୱିତୀୟ ବର୍ଷ ବା ବାର୍ଷିକ ପରୀକ୍ଷା ୨୦୨୪ ମାର୍ଚ୍ଚ ୫ରୁ ଆରମ୍ଭ ହୋଇ ମାର୍ଚ୍ଚ ୩୦ ସୁଦ୍ଧା ସରିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଉକ୍ତ କ୍ୟାଲେଣ୍ଡରରେ ସୂଚନା ଦିଆଯାଇଛି। ସେହିପରି ଯୁକ୍ତ୨ ଦ୍ୱିତୀୟ ବର୍ଷର ପ୍ରୋକ୍ଟରିଆଲ କ୍ଲାସର ବି ସମୀକ୍ଷା କରାଯିବ। ଏଥିରେ ପ୍ରତି ଶିକ୍ଷକଙ୍କୁ କେତେଜଣ ଛାତ୍ରୀଛାତ୍ରଙ୍କ ଦାୟିତ୍ୱ ଦିଆଯାଇଥିଲା। ସେମାନଙ୍କ ପାଠପ଼ଢ଼ା, ଆବଶ୍ୟକତା ଓ ପ୍ରଦର୍ଶନ ସମ୍ପର୍କରେ ଶିକ୍ଷକମାନେ ତଥ୍ୟ ଦେବେ। ଏଥିପାଇଁ ଚଳିତ ବର୍ଷ ଅଗଷ୍ଟ ୨୩ରେ ପ୍ରୋକ୍ଟରିଆଲ ମିଟିଂ ବସିବ। ଏଥିସହ ନଭେମ୍ବର ୨୧ରେ ପ୍ରଥମ ବର୍ଷ ଓ ଡିସେମ୍ବର ୧୮ରେ ଦ୍ୱିତୀୟ ବର୍ଷର ଅଭିଭାବକ-ଶିକ୍ଷକ ବୈଠକ ବସିବ। ନଭେମ୍ବର ୧୮ରେ ଜିଲାସ୍ତରୀୟ ହାକାଥନର ଆୟୋଜନ ହେବ। ଡିସେମ୍ବର ୧୩ରୁ ୧୮ ଯାଏ କ୍ରୀଡ଼ା ସପ୍ତାହ ପାଳନ କରାଯିବ।

Share