୨ ନକଲି ଆଇଏଏସ୍‌ ଅଫିସର ଗିରଫ

ଭୁବନେଶ୍ୱର,୩୦।୧୦(ବ୍ୟୁରୋ): କୋଟିଏ ଟଙ୍କାରୁ ଊର୍ଦ୍ଧ୍ୱ ଠକେଇ ଅଭିଯୋଗରେ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ଶୁକ୍ରବାର ୨ ନକଲି ଆଇଏଏସ୍‌ ଅଫିସରଙ୍କୁ କଟକ ଓ ଭୁବନେଶ୍ୱରରୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ସୂର୍ଯ୍ୟମଣି ତ୍ରିପାଠୀ ଓ ଅମିତ କୁମାର ସ୍ବାଇଁ। ଜଣେ ନିଜକୁ ଆଡିସିନାଲ ସେକ୍ରେଟାରୀ କହି ଠକୁଥିବା ବେଳେ ଅନ୍ୟ ଜଣେ ପିଡବ୍ଲ୍ୟୁଡି ଅଫିସର ପରିଚୟ ଦେଇ ଠକୁଥିଲେ। ସେମାନଙ୍କ ବିରୋଧରେ ଠିକାଦାରି ଦେବାରେ ୧ କୋଟି ୧୭ ଲକ୍ଷ ଠକିଥିବା ଅଭିଯୋଗ ଆସିଥିଲା। ସେମାନେ ମିଛ ଓ୍ବାର୍କ ଅର୍ଡର ଦେଇ ଠିକାଦାରଙ୍କୁ ଠକେଇ କରିବା ସହ ଟଙ୍କା ହଡ଼ପ କରୁଥିଲେ।

ତେବେ ଆରଟିଆଇ ତଥ୍ୟ ଅନୁଯାୟୀ ସୂର୍ଯ୍ୟମଣି ଓ ଅମିତଙ୍କ ନାଁରେ କୌଣସି ଆଇଏଏସ୍‌ ଅଧିକାରୀ ନଥିବା ଜଣାପଡ଼ିବା ପରେ ମାମଲା ରୁଜୁ ହୋଇଥିଲା। ଗିରଫ ଦୁଇ ଅଭିଯୁକ୍ତଙ୍କ ମୋବାଇଲରୁ ବହୁ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଫୋନ ନମ୍ବର ମିଳିଥିବା ଇଓଡବ୍ଲ୍ୟୁ ସୂଚନା ଦେଇଛି।

Share