ଟଙ୍କା ନେବାକୁ ଆସି ଧରାପଡ଼ିଲେ ୨ ନକଲି ମାଓବାଦୀ

ଭବାନୀପାଟଣା,୨୫।୬(ସ୍ବ.ପ୍ର.): ମାଓବାଦୀଙ୍କ ନାଁରେ ଲୋକଙ୍କୁ ଭୟ ଦେଖାଇବା ସହ ଧମକାଇ ଟଙ୍କା ଆଦାୟ କରିବା ଅଭିଯୋଗରେ କଳାହାଣ୍ଡି ପୋଲିସ ୨ଜଣଙ୍କୁ ଗିରଫ କରିଛି। ଗିରଫ ୨ଜଣ ହେଲେ ବିଜେପୁର ଥାନା ଅଞ୍ଚଳର ଉଦ୍ଧବ ନାଏକ ଏବଂ କେଗାଁ ଥାନା ଅଞ୍ଚଳର ଜରାଷଣ୍ଢ ସୁନା। ସେମାନଙ୍କଠାରୁ ନଗଦ ୧ ଲକ୍ଷ ଟଙ୍କା, ଗୋଟିଏ ବାଇକ୍‌, ୩ଟି ମୋବାଇଲ ଫୋନ ଜବତ କରାଯାଇଛି ବୋଲି ଏକ ଖବରଦାତା ସମ୍ମିଳନୀରେ କଳାହାଣ୍ଡି ଏସ୍‌ପି ଅଭିଳାଷ ଜି ସୂଚନା ଦେଇଛନ୍ତି। ଏପରିକି ଅଭିଯୁକ୍ତମାନଙ୍କ ନାଁରେ ପୂର୍ବରୁ ଜିଲାର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ଏସ୍‌ପି କହିଛନ୍ତି।

ସୂଚନା ଅନୁଯାୟୀ, ଜିଲାର ଜୟପାଟଣା ଥାନା ଅଧୀନ ଘଣ୍ଟିଗୁଡା ଗାଁର ହେମରାଜ ନାଏକ ଥୁଆମୂଳ ରାମପୁର ବ୍ଲକ ମହୁଲପାଟଣାରେ ପିଇଓ ଭାବେ କାର୍ଯ୍ୟ କରୁଛନ୍ତି। ଗତ ୧୦ ତାରିଖରେ ତାଙ୍କ ପାଖକୁ ମାଓବାଦୀଙ୍କ ନାଁରେ ଏକ ଫୋନ କଲ୍‌ ଆସିଥିଲା। ଫୋନରେ ୨ ଲକ୍ଷ ଟଙ୍କା ନ ଦେଲେ ତାଙ୍କୁ ଏବଂ ପରିବାର ଲୋକଙ୍କୁ ମାରିଦେବାକୁ ହତ୍ୟା ଧମକ ମିଳିଥିଲା। ଏନେଇ ହେମରାଜ ଥୁ.ରାମପୁର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ଫୋନ ଆସିଥିବା ନମ୍ବରକୁ ପୋଲିସ ଟ୍ରାକିଂ କରି ଅଭିଯୁକ୍ତମାନଙ୍କୁ ଧରିବା ନେଇ ଯୋଜନା ପ୍ରସ୍ତୁତ ହୋଇଥିଲା। ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ନକଲି ମାଓବାଦୀଙ୍କୁ ଟଙ୍କା ଦେବା ଆଳରେ ହେମରାଜ ଫୋନ କରି ଡାକିଥିଲେ। ପୂର୍ବ ଯୋଜନା ଅନୁଯାୟୀ ନକଲି ମାଓବାଦୀଙ୍କ ସହ ହେମରାଜ କଥା ହେବା ବେଳେ ପୋଲିସ ୨ଜଣଙ୍କୁ କାବୁ କରି ନେଇଥିଲ।

Share