ଭୁବନେଶ୍ୱର, ୭।୧୦(ବ୍ୟୁରୋ)- ୟୁଜିସି ପକ୍ଷରୁ ବୁଧବାର ନକଲି ବିଶ୍ୱବିଦ୍ୟାଳୟର ତାଲିକା ପ୍ରକାଶ ପାଇଛି। ସମଗ୍ର ଦେଶରେ ସରକାରଙ୍କୁ ଭୂଆଁ ବୁଲାଇ ୨୪ଟି ‘ଆତ୍ମଘୋଷିତ’ ଓ ‘ଅଣସ୍ବୀକୃତ’ ବିଶ୍ୱବିଦ୍ୟାଳୟ ସେମାନଙ୍କର ବ୍ୟବସାୟ ଚଲାଇଥିବା ବୁଧବାର ୟୁଜିସି ପକ୍ଷରୁ ପ୍ରକାଶିତ ଏକ ବିଜ୍ଞପ୍ତିରେ କୁହାଯାଇଛି। ଏଥିସହ ଏହି ସମସ୍ତ ‘ଆତ୍ମଘୋଷିତ’ ଓ ‘ଅଣସ୍ବୀକୃତ’ ବିଶ୍ୱବିଦ୍ୟାଳୟଗୁଡ଼ିକର ତାଲିକା ମଧ୍ୟ ପ୍ରକାଶ କରିଛି ୟୁଜିସି। ଏଥିରେ ଓଡ଼ିଶାର ୨ଟି ବିଶ୍ୱବିଦ୍ୟାଳୟ ରହିଥିବା ବେଳେ ଉତ୍ତରପ୍ରଦେଶରେ ସର୍ବାଧିକ ୮ଟି ବିଶ୍ୱବିଦ୍ୟାଳୟ ରହିଛି। ସେହିପରି ଦିଲ୍ଲୀରେ ୭ଟି, ପଶ୍ଚିମବଙ୍ଗରେ ୨ଟି, କେରଳ, କର୍ନାଟକ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଓ ପୁଡୁଚେରିରେ ଗୋଟିଏ ଲେଖାଏ ନକଲିି ବିଶ୍ୱବିଦ୍ୟାଳୟ ରହିଥିବା ଦର୍ଶାଯାଇଛି। ଓଡ଼ିଶାର ଯେଉଁ ୨ଟି ନକଲି ବିଶ୍ୱବିଦ୍ୟାଳୟ ରହିଛି ତାହା ହେଲା ରାଉରକେଲାରେ ନବଭାରତ ଶିକ୍ଷା ପରିଷଦ ଏବଂ ମୟୂରଭଞ୍ଜରେ ଥିବା ନର୍ଥ ଓଡ଼ିଶା ୟୁନିଭର୍ସିଟି ଅଫ୍ ଏଗ୍ରିକଲଚର ଆଣ୍ଡ୍ ଟେକ୍ନୋଲୋଜି ବିଶ୍ୱବିଦ୍ୟାଳୟ।