Categories: ଖେଳ

ହକି କୋଚ୍‌ ରେସ୍‌ରେ ୨ ବିଦେଶୀ ଆଗରେ

ନୂଆଦିଲ୍ଲୀ,୨ା୨: ହକି ବିଶ୍ୱକପ୍‌ରେ ଭାରତୀୟ ଦଳର ବିଫଳତା ପରେ କାର୍ଯ୍ୟକାଳ ପୂର୍ବରୁ ମୁଖ୍ୟ କୋଚ୍‌ ଗ୍ରାହାମ ରିଡ୍‌ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ହେଲେ ପୁଣି ଭାରତ ହକି ଦଳର ମୁଖ୍ୟ କୋଚ କିଏ ହେବ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କୋଚ ଦୌଡ଼ରେ ଆଗରେ ରହିଛନ୍ତି ଆର୍ଜେଣ୍ଟିନାର ମ୍ୟାକ୍ସ କାଲ୍‌ଡାସ ଏବଂ ନେଦରଲାଣ୍ଡ୍ସର ସିଗଫ୍ରେଡ୍‌ ଏକମାନ। ସେହିପରି କେତେଜଣ ଭାରତୀୟ ଖେଳାଳି ମଧ୍ୟ ଏହି ଦୌଡରେ ସାମିଲ ଥିବା ହକି ଇଣ୍ଡିଆ ପକ୍ଷରୁ କୁହାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ୨ରୁ ୩ ଜଣ ବିଦେଶୀ କୋଚ୍‌ଙ୍କ ସହିତ ଫେଡେରେଶନର ଆଲୋଚନା ଜାରି ରହିଛି। ଅନ୍ୟପକ୍ଷେ ଗ୍ରାହାମ ରିଡ୍‌ଙ୍କ ଅଧୀନରେ ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ କରି ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ହାସଲ କରିଥିଲା। ତେବେ ବିଶ୍ୱକପରେ ଭାରତର ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା।

ଅନ୍ୟପକ୍ଷେ ଏସିଆନ୍‌ ଗେମ୍ସ ଚଳିତ ବର୍ଷ ହେବାକୁ ଥିବା ବେଳେ ଆସନ୍ତା ବର୍ଷ ରହିଛି ପ୍ୟାରିସ୍‌ ଅଲିମ୍ପିକ୍ସ। ପୂର୍ବରୁ ନୂତନ କୋଚ ନିଯୁକ୍ତି କରାଯିବ ବୋଲି ଏକ ବିଶେଷ ସୂତ୍ରରୁ ଜଣାପଡିଛି। ୨୦୧୯ରେ ଗ୍ରାହାମ ରିଡ୍‌ ଭାରତୀୟ ଦଳର କୋଚ୍‌ ଦାୟିତ୍ୱ ଗ୍ରହଣ କରିଥିଲେ। ୨୦୨୧ ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ବ୍ରୋଞ୍ଜ ପଦକ ସହିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ରୌପ୍ୟ ପଦକ ହାସଲ କରିଥିଲା।

Share