କଂଗ୍ରେସରେ ବିଜେଡିର ୨ ପୂର୍ବତନ ଏମ୍‌ପି ଯଶୋବନ୍ତ, ଶକୁନ୍ତଳା

ଭୁବନେଶ୍ୱର/ କେନ୍ଦୁଝର ୧୬।୩(ସୁନିତ୍‌ ମିଶ୍ର/ ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଲୋକସଭାର ୨ ପୂର୍ବତନ ବିଜେଡି ଏମ୍‌ପି ଯଶୋବନ୍ତ ନାରାୟଣ ସିଂ ଲାଗୁରୀ ଓ ତାଙ୍କ ସ୍ତ୍ରୀ ଶକୁନ୍ତଳା ଲାଗୁରୀ  ବିଜେଡି ଛାଡି କଂଗ୍ରେସରେ ଯୋଗଦେଇଛନ୍ତି। ଦୀର୍ଘ ବର୍ଷ ହେଲା କୋଣଠେସା ହୋଇ ବସି ରହିଥିବାରୁ ଲାଗୁରୀ ଦମ୍ପତି ଶାସକ ଦଳ ଛାଡ଼ିଥିବା ନିଜ ପ୍ରତିକ୍ରିୟାରେ କହିଛନ୍ତି। ରାଜ୍ୟ କଂଗ୍ରେସ ଭବନରେ ଓଡ଼ିଶା ପ୍ରଭାରୀ ଡ. ଅଜୟ କୁମାର, ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ, ବରିଷ୍ଠ ନେତା ବିଜୟ ପଟ୍ଟନାୟକ ଓ ଅନ୍ୟମାନଙ୍କ ଉପସ୍ଥିତିରେ କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି। ପୂର୍ବରୁ ବିଜେଡିର ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ ଦଳ ଛାଡ଼ିବା ପରେ ଦୁଇ ବଡ଼ ନେତା ଦଳ ଛାଡ଼ିବା କେନ୍ଦୁଝରରେ ଚର୍ଚ୍ଚାର ବିଷୟ ହୋଇଛି।
ପ୍ରକାଶଯୋଗ୍ୟ, ଭାଜପା, ବିଜେଡି ମେଣ୍ଟ ସରକାର ଭାଙ୍ଗିବା ପରେ ୨୦୦୯ରେ ଯଶୋବନ୍ତ ବିଜେଡିର ଲୋକସଭା ପ୍ରାର୍ଥୀ ହୋଇ ଜିତିଥିଲେ। ୨୦୧୪ରେ ବିଜେଡି ମହିଳାମାନଙ୍କୁ ପ୍ରାଧାନ୍ୟ ଦେବାକୁ ଯାଇ ତାଙ୍କ ସ୍ତ୍ରୀ ଶକୁନ୍ତଳା ଲାଗୁରୀଙ୍କୁ ଲୋକସଭା ପ୍ରାର୍ଥୀ କରି ସିଟ ବଜାଇ ରଖିଥିଲା। ହେଲେ ପରବର୍ତ୍ତୀ ସମୟରେ ଦଳ ତାଙ୍କୁ ଅଣଦେଖା କରି ଚନ୍ଦ୍ରାଣୀ ମୁର୍ମୁଙ୍କୁ ଟିକେଟ ଦେଇ ସିଟ ହାତେଇଥିଲା। ଏହାକୁ ନେଇ ଲାଗୁରୀ ଦମ୍ପତି ଓ ତାଙ୍କ ସମର୍ଥକ ଅସନ୍ତୁଷ୍ଟ ହୋଇଥିଲେ। ସେମାନେ କହିଛନ୍ତି, ବିଜେଡି ଆଉ ଗଣତାନ୍ତ୍ରିକ ଦଳ ହୋଇ ରହିନାହିଁ। ଏହା ବ୍ୟବସାୟିକ ଫାର୍ମରେ ପରିଣତ ହୋଇଯାଇଛି। ୧୦ ବର୍ଷ ହେଲା ତାଙ୍କୁ କୌଣସି ଦାୟିତ୍ୱ ଦିଆଗଲା ନାହିଁ କିମ୍ବା କାର୍ଯ୍ୟକ୍ରମକୁ ଡକାଗଲାନାହିଁ। ତେଣୁ ଦେଶ ବିକାଶରେ ବହୁ କିଛି କରିଥିବା କଂଗ୍ରେସରେ ଯୋଗଦେଇ ଜିଲାର ବିକାଶ ପାଇଁ କାମ କରିବେ ବୋଲି କହିଛନ୍ତି।

Share