ନନ୍ଦନକାନନକୁ ଆସିଲେ ୨ ଜିରାଫ, ବଢ଼ିଲା ସଂଖ୍ୟା

ଭୁବନେଶ୍ୱର,୨ା୯: ନନ୍ଦନକାନନକୁ ଆଉ ୨ ନୂଆ ଅତିଥି ଆସିଛନ୍ତି। କୋଲକାତାର ଅଲିପୁର ଚିଡ଼ିଆଖାନାରୁ ଏହି ଦୁଇ ଜିରାଫ ବାରଙ୍ଗସ୍ଥିତ ଚିଡ଼ିଆଖାନାକୁ ଆସିଛନ୍ତି। ଦୁଇ ଜିରାଫଙ୍କ ମଧ୍ୟରେ ଗୋଟିଏ ଦେଢ଼ ବର୍ଷର ପୁରୁଷ ଓ ବର୍ଷେ ୧ ମାସର ମାଈ ଜିରାଫ ରହିଛି। ଏହି ଦୁଇ ଜିରାଫ ଆସିବା ପରେ ନନ୍ଦନକାନନରେ ଜିରାଫଙ୍କ ସଂଖ୍ୟା ୩ରେ ପହଞ୍ଚିଛି।

ଅନ୍ୟପକ୍ଷରେ ଦୀର୍ଘ ୧୨ ବର୍ଷ ପରେ ନନ୍ଦନକାନନରେ ଏକାକୀ ରହୁଥିବା ଜିରାଫ ଖୁସିକୁ ତା’ର ସାଥୀ ମିଳିଯାଇଛି। ଦୁହିଁଙ୍କୁ ଆଣିବାକୁ ଏକ ସ୍ବତନ୍ତ୍ର ଦଳ ଓଡ଼ିଶାରୁ ଅଲିପୁର ଯାଇଥିଲେ। ଏହି ଦୁହିଁଙ୍କୁ ଆଣିବା ପାଇଁ ୧୬.୫ ଫୁଟ ଉଚ୍ଚ ଏକ ବକ୍ସର ବ୍ୟବସ୍ଥା କରାଯାଇଥିଲା। ସେଠାରୁ ଅଗଷ୍ଟ ୩୧ରେ ବାହାରି ଦୀର୍ଘ ୨୫ ଘଣ୍ଟା ପରେ ନନ୍ଦନକାନନରେ ପହଞ୍ଚିଛନ୍ତି ଏହି ଦୁଇ ଜିରାଫ। ବର୍ତ୍ତମାନ ଦୁଇ ଜିରାଫଙ୍କୁ ସ୍ବତନ୍ତ୍ର ଟିମ୍‌ ଖାଦ୍ୟ, ରହଣି, ସ୍ବାସ୍ଥ୍ୟାବସ୍ଥାର ଅନୁଧ୍ୟାନ କରୁଛନ୍ତି। ନନ୍ଦନକାନନରେ ଥିବା ଜିରାଫ ଖୁସିକୁ ୨୦୧୨ରେ ପାଟନାରୁ ଅଣାଯାଇଥିଲା।

ଏହା ପୂର୍ବରୁ ୨୦୦୮ରେ ଅଲିପୁରରୁ ଗୋଟେ ଜିରାଫକୁ ଅଣାଯିବା ବେଳେ ବାଟରେ ଇଲେକ୍ଟ୍ରି ତାର ଲାଗି ତା’ର ମୃତ୍ୟୁ ହେଇଥିଲା। ପୁଣି ୨୦୧୬ ଆଉ ଗୋଟେ ପୁରୁଷ ଜିରାଫକୁ ନନ୍ଦନକାନନ ଅଣାଯାଇଥିଲା। କିନ୍ତୁ ସେ ଛଅ ଦିନ ଭିତରେ ରୋଗରେ ଆକ୍ରାନ୍ତ ହୋଇ ମରିଯାଇଥିଲା। ସେହିଦିନ ଠାରୁ ଖୁସି ଜିରାଫ ନିଃସଙ୍ଗ ଜୀବନ ବିତାଉଥିଲା। ଏବେ ନୂଆ ଅତିଥି ପାଇ ଖୁସି ବେଶ୍‌ ଖୁସି ହୋଇପଡ଼ିଛି।

Share