Categories: ଖେଳ

ପ୍ରମୋଦଙ୍କୁ ୨ ସ୍ବର୍ଣ୍ଣ, ଦୀପ୍‌ ରଞ୍ଜନଙ୍କୁ ବ୍ରୋଞ୍ଜ

ଭୁବନେଶ୍ୱର, ୧୫।୫(କ୍ରୀଡ଼ା ପ୍ରତିନିଧି): ଓଡ଼ିଶାର ପ୍ରମୋଦ ଭଗତ ଥାଇଲାଣ୍ଡର ପଟାୟାଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ୨ଟି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସେ ସିଙ୍ଗଲ୍ସ ଓ ପୁରୁଷ ଡବଲ୍ସରେ ଏହି ସଫଳତା ପାଇଛନ୍ତି। ଓଡ଼ିଶାର ଅନ୍ୟତମ ପ୍ରତିଯୋଗୀ ଦୀପ୍‌ ରଞ୍ଜନ ବିଷୋୟୀ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଛନ୍ତି।
ରବିବାର ଅନୁଷ୍ଠିତ ସିଙ୍ଗଲ୍ସ ଫାଇନାଲର ପ୍ରଥମ ସେଟ୍‌ରେ ପ୍ରମୋଦ ଇଂଲଣ୍ଡର ଡାନିଏଲ ବେଥେଲଙ୍କ ବିପକ୍ଷରେ ୨୧-୧୯ରେ ବିଜୟୀ ହୋଇଥିଲେ। ଦ୍ୱିତୀୟ ସେଟ୍‌ରେ ବେଥେଲ ଖେଳିବାକୁ ଅନିଚ୍ଛା ପ୍ରକାଶ କରିଥିଲେ। ଫଳରେ ପ୍ରମୋଦଙ୍କୁ ବିଜେତା ଘୋଷଣା କରାଯାଇଥିଲା। ସେହିପରି ଡବଲ୍ସ ଫାଇନାଲରେ ପ୍ରମୋଦ ଓ ସୁକାନ୍ତ କଦମଙ୍କ ଯୋଡ଼ି ନିଜ ଦେଶର ନିତେଶ କୁମାର ଓ ତରୁନ୍‌ଙ୍କୁ ୧୮-୨୧, ୨୧-୧୪, ୨୧-୧୯ ପଏଣ୍ଟରେ ହରାଇ ସ୍ବର୍ଣ୍ଣ ଜିତିଥିଲେ। ପ୍ରଥମ ସେଟ୍‌ରେ ହାରିଥିଲେ ହେଁ ପ୍ରମୋଦ-ସୁକାନ୍ତ ଯୋଡ଼ି ସଫଳ ପ୍ରତ୍ୟାବର୍ତ୍ତନ କରିଥିଲେ। ଦୀପ୍‌ ରଞ୍ଜନ ନିଜ ପାର୍ଟନରଙ୍କ ସହ ପୁରୁଷ ଡବଲ୍ସ ସେମିଫାଇନାଲରେ ନିତେଶ କୁମାର ଓ ତରୁନଙ୍କଠାରୁ ହାରି ଯାଇଥିବାରୁ ବ୍ରୋଞ୍ଜ ପଦକ ପାଇଥିଲେ। ଓଡ଼ିଶା ପ୍ରତିଯୋଗୀଙ୍କ ସହ କୋଚ୍‌ ଶିବ ପ୍ରସାଦ ଦାସ ଥାଇଲାଣ୍ଡ ଯାତ୍ରା କରିଥିଲେ। ସମସ୍ତ ପଦକ ବିଜେତାଙ୍କୁ ଓଡ଼ିଶା ପାରା ସ୍ପୋଟର୍‌ସ ଆସୋସିଏଶନ ପକ୍ଷରୁ ଅଭିନନ୍ଦନ ଜଣାଯାଇଛି। ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟଗୁଡ଼ିକ ଅଲିମ୍ପିକ୍ସ କ୍ୱାଲିଫାୟର ଭାବେ ବିବେଚିତ ହେଉଛି। ପ୍ରମୋଦ ଏହା ପୂର୍ବରୁ ଖେଳିଥିବା ୩ଟି ଯାକ ପ୍ରତିଯୋଗିତାର ସିଙ୍ଗଲ୍ସରେ ସ୍ବର୍ଣ୍ଣ ପଦକ ଜିତିପାରି ନ ଥିଲେ। ଥାଇଲାଣ୍ଡରେ ସ୍ବର୍ଣ୍ଣ ପଦକ ଜିତି ସେ ନିଜ ଦାବିଦାରକୁ ମଜଭୁତ କରିଛନ୍ତି।

Share