୨ ସୁନା ବେପାରୀ, ୬ ଡକାୟତ ଗିରଫ

ନୟାଗଡ଼ ଅଫିସ,୨୪ା୧୦: ନୟାଗଡ଼ ଟାଉନ ଥାନା ପୋଲିସ ଏକ ଡକାୟତ ଗ୍ୟାଙ୍ଗକୁ ଗିରଫ କରିବା ସହ ୨ ସୁନା ବେପାରୀ ଓ ୬ ଡକାୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏମାନଙ୍କ ଠାରୁ ୨୦ ଲକ୍ଷ ଟଙ୍କାର ସୁନା ଓ ୧ ଲକ୍ଷ ଟଙ୍କାର ରୁପା ଅଳଙ୍କାର ଜବତ କରିଛି। ଗିରଫ ସମସ୍ତ ଅଭିଯୁକ୍ତଙ୍କ ଘର ନୟାଗଡ଼ ଜିଲାରେ। ଅଭିଯୁକ୍ତମାନେ ହେଲେ ଫତେଗଡ଼ ଥାନା ଗୋଳାପୋଖରୀ ଗ୍ରାମର ଶଙ୍କର ପଲେଇ(୫୦), ଓଡ଼ଗାଁ ଥାନା ବାଉଁଶଗାଡ଼ିଆ ଗାଁର ଶରତ ଚନ୍ଦ୍ର ମହାରଣା(୨୫), ଭାଡ଼ିକିଳା ମନୋରଞ୍ଜନ ମହାରଣା(୨୦) ଓ ପୂର୍ଣ୍ଣଚନ୍ଦ୍ର ମହାରଣା(୪୧), ଇଟାମାଟି ଥାନା ମଜୁରିଆପଲ୍ଲୀ ଗ୍ରାମର ରମେଶ ଲେଙ୍କା(୫୪) ଓ ନାରାୟଣ ପାଟଣା ଗ୍ରାମର ମିଟୁ ସ୍ବାଇଁ (୩୨) ଓ ଦୁଇ ବେପାରୀ ହେଲେ ଇଟାମାଟି ଥାନା କୃଷ୍ଣପ୍ରସାଦ ଗ୍ରାମର କାଳିନ୍ଦୀ ସୁବୁଦ୍ଧି(୪୯) ଓ ଟାଉନ ଥାନା ସିଭିଲ କୋର୍ଟ ସାହିର ସଞ୍ଜୟ ସିକରି(୪୪)। ନୟାଗଡ଼ ଜିଲା ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏମାନେ ଚୋରି ଡକାୟତି କରି ସାରିଥିବା ପୋଲିସ କହିଛି। ଏହି ଅଭିଯୁକ୍ତମାନେ ନୂଆ ନୂଆ ଯୁବକମାନଙ୍କୁ ତାଲିମ ଦେଇ ଚୋରି ଓ ଲୁଟ୍‌ କରାଇଥାନ୍ତି। ଟାଉନ ଥାନା ପରିସରରେ ନୟାଗଡ଼ ଏସ୍‌ପି ଅଲେଖ ପହି ଏକ ଖବରଦାତା ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି।