
ଦିଗପହଣ୍ଡି,୨୬ା୨(ଅଶେଷ ନାଥ ମିଶ୍ର):ଦିଗପହଣ୍ଡି ବ୍ଲକ କରପଡା ଗ୍ରାମର ୧୦ମ ଶ୍ରେଣୀ ଛାତ୍ର ରବି ବେହେରା ତାଙ୍କ ଘର ନିକଟସ୍ଥ ଜଣେ ବ୍ୟକ୍ତିଙ୍କ ନିର୍ମାଣାଧୀନ ଘର କାନ୍ଥରେ ଚଢ଼ି ଗତ ସେପ୍ଟେମ୍ବର ୬ ତାରିଖ ଭୋରରେ ଗଛରୁ ଫୁଲ ତୋଳୁଥିବା ବେଳେ ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ। ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଙ୍କ ଅକ୍ଳାନ୍ତ ପରିଶ୍ରମ ସତ୍ତ୍ୱେ ଜୀବନ ପ୍ରତି ବିପଦ ରହିଥିବାରୁ ତାଙ୍କ ୨ ହାତକୁ କାଟବାକୁ ପଡିଥିଲା। ଏପରି ଏକ ହୃଦୟ ବିଦାରକ ଘଟଣା ଘଟିବାର ୫ ମାସ ବିତିଯାଇଥିଲେ ମଧ୍ୟ ସରକାର କିମ୍ବା ବିଦ୍ୟୁତ୍ ବିଭାଗ ପକ୍ଷରୁ ତାଙ୍କୁ କୌଣସି ଆର୍ଥିକ ସହାୟତା ଯୋଗାଇ ଦିଆଯାଇନାହିଁ। ମଙ୍ଗଳବାର ଭାଜପାର ପୂର୍ବତନ ରାଜ୍ୟ ସମ୍ପାଦକ ଶ୍ରୀକାନ୍ତ ପାଢୀଙ୍କ ନେତୃତ୍ୱରେ ପରିବାର ଲୋକେ ଦିଗପହଣ୍ଡି ବିଦ୍ୟୁତ୍ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ନିର୍ବାହୀ ଯନ୍ତ୍ରୀ ଇଂ. ବିଶ୍ୱ ନାରାୟଣ ରାଉତଙ୍କ ସହ ଘଟଣା ପ୍ରସଙ୍ଗରେ ଆଲୋଚନା କରିଥିଲେ। ବିଦ୍ୟୁତ୍ ବିଭାଗ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦେବାରେ ବିଳମ୍ବକୁ ନେଇ ନିର୍ବାହୀ ଯନ୍ତ୍ରୀ ଏବଂ ଶ୍ରୀକାନ୍ତଙ୍କ ମଧ୍ୟରେ ଯୁକ୍ତିତର୍କ ହେବାରୁ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ନିର୍ବାହୀ ଯନ୍ତ୍ରୀ ଏବଂ ଉପସ୍ଥିତ ପରିବାର ଲୋକଙ୍କ ଆପୋଷ ବୁଝାମଣା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଏନେଇ ନିର୍ବାହୀ ଯନ୍ତ୍ରୀଙ୍କୁ ପଚାରିବାରୁ ସେ କହିଛନ୍ତି, ବିଭାଗର ଇଲେକ୍ଟ୍ରିକାଲ ଇନ୍ସପେକ୍ଟରଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଯାଇଥିଲେ ମଧ୍ୟ ସେ ବର୍ତ୍ତମାନ ସୁଦ୍ଧା ତଦନ୍ତ କରିବାକୁ ଆସିନାହାନ୍ତି। ସେ ଘଟଣାର ଅନୁସନ୍ଧାନ କରି ବିଭାଗକୁ ରିପୋର୍ଟ ପ୍ରଦାନ କରିବେ। ବିଦ୍ୟୁତ ବିଭାଗର ଅବହେଳା ପ୍ରମାଣିତ ହେଲେ ନିଶ୍ଚିତ ଭାବରେ ଆହତ ଛାତ୍ରଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ନିର୍ବାହୀ ଯନ୍ତ୍ରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।