ମାଲକାନଗିରି,୨୪।୪(ଡି.ଏନ୍.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ପୋଲିସ ୨ଜଣ ହାର୍ଡକୋର ମାଓବାଦୀଙ୍କୁ ଗିରଫ କରିଛି। ସେମାନେ ହେଲେ ଆଶି ରାମ(୩୮) ଓ ସନ୍ନୁ ମାଡଭି(୨୮)। ମାଓବାଦୀ ବିରୋଧୀ ଅପରେଶନ ନାରାୟଣପୁର ଜିଲାରେ ଜାରି ରହିଥିବା ବେଳେ ଶନିବାର ଡିଆର୍ଜି ଯବାନମାନେ ଛୋଟେଙ୍ଗେର ପୋଲିସ ଷ୍ଟେଶନ କ୍ୟାମ୍ପ ପଡ଼ିଥିବା କାଡେମେଟାରୁ ଆଖପାଖ ଅଞ୍ଚଳରେ ସର୍ଚ୍ଚ ଅପରେଶନ କରୁଥିଲେ। ଏହି ସମୟରେ ଭଟବେଡା ଗ୍ରାମ ଜଙ୍ଗଲରେ ୨ ଜଣ ସନ୍ଦିଗ୍ଧ ଲୁଚି ରହିଥିବା ଯବାନମାନେ ଦେଖିବାକୁ ପାଇଥିଲେ। ଯବାନଙ୍କୁ ଦେଖି ଆଶି ଓ ସନ୍ନୁ ଦୌଡ଼ି ପଳାଇବାକୁ ଉଦ୍ୟମ କରିଥିଲେ। ତେବେ ଯବାନମାନେ ଉଭୟଙ୍କୁ କାବୁ କରି ନେଇଥିଲେ। ସେମାନେ ମାଓବାଦୀ ସଙ୍ଗଠନରେ କାର୍ଯ୍ୟ କରୁଥିବା, ପୂର୍ବରୁ ଅନେକ ହିଂସାରେ ଜଡ଼ିତ ରହିବା ସହ ଦୁଇଜଣ ଆଇଟିବିପି ଯବାନଙ୍କୁ ହତ୍ୟା ଘଟଣାରେ ସାମିଲ ଥିବା ପଚରାଉଚରା ବେଳେ ପୋଲିସ ନିକଟରେ ଉଭୟେ ସ୍ବୀକାର କରିଛନ୍ତି।