୨ରେ ପ୍ରବଳ ବର୍ଷା: ୪ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୨୮।୬(ବ୍ୟୁରୋ)- ରାଜ୍ୟରେ ଏବେ ମୌସୁମୀ ଦୁର୍ବଳ ରହିଛି। ତେଣୁ କିଛି ସ୍ଥାନରେ ବର୍ଷା ହେଉଛି। ଏଥିସହ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ଜାରି ରହିଛି। ଆସନ୍ତା ୩ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ବଳ୍ପ ପରିମାଣ ବର୍ଷା ହେବାକୁ ଥିବାବେଳେ ଜୁଲାଇ ୨ତାରିଖରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ ଆସନ୍ତା ୪ଦିନ ପର୍ଯ୍ୟନ୍ତ ଅଧିକାଂଶ ଜିଲାରେ ଝଡ଼ତୋଫାନ ଓ ବଜ୍ରପାତ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ୨୯ ତାରିଖରେ ଉତ୍ତର ଓଡ଼ିଶାର ସମସ୍ତ ଜିଲା ଏବଂ ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବ। ୩୦ରେ ଓଡ଼ିଶାର ଅନେକ ସ୍ଥାନ, ଜୁଲାଇ ୧ରେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନ ଓ ଉପକୂଳ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଏବଂ ୨ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ। ତେବେ ଏହି ଦିନ ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଓ ଗଜପତି ଆଦି ୪ ଜିଲାରେ ପ୍ରବଳ ବର୍ଷା ହେବ। ଏଥିପାଇଁ ଏସବୁ ଜିଲାକୁ ପାଣିପାଗ କେନ୍ଦ୍ର ୟେଲୋ ଓ୍ବାର୍ନିଂ ଜାରି କରିଛି। ସେହିଭଳି ଆସନ୍ତା ୪ଦିନ ପର୍ଯ୍ୟନ୍ତ ଝଡ଼ତୋଫାନ ସହିତ ବଜ୍ରପାତ ହେବ ବୋଲି ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି।

Share