Advertisement

ପକ୍କାଘର ପାଇବାରୁ ବଞ୍ଚିତ ୨ ଅସହାୟ ଭଉଣୀ

ରଘୁନାଥପୁର,୨୯।୭(ରାଜେନ୍ଦ୍ର ନାରାୟଣ ସିଂହ): ସରକାରଙ୍କ କଟକଣା ସତ୍ତ୍ୱେ ଅନେକ ଅଯୋଗ୍ୟ ହିତାଧିକାରୀ ଘର ହାତେଇ ନେବାକୁ ସକ୍ଷମ ହେଉଥିବାବେଳେ ପ୍ରକୃତ ଯୋଗ୍ୟ ବ୍ୟକ୍ତି ଆବାସ ଯୋଜନାରେ ପକ୍କାଗୃହ ପାଇବାରୁ ବଞ୍ଚିତ ହେଉଛନ୍ତି। ସେମାନଙ୍କ ପାଖରେ ପ୍ରଶାସନ ପହଞ୍ଚତ୍ ପାରୁ ନ ଥିବାବେଳେ ଜନପ୍ରତିନିଧିଙ୍କ ସ୍ବର ସେମାନଙ୍କ ପାଇଁ କ୍ଷୀଣ ହୋଇଯାଉଛି। ଏପରି ସ୍ପର୍ଶକତାର ଘଟଣା ଦେଖିବାକୁ ମିଳିଛି ରଘୁନାଥପୁର ବ୍ଲକ ସାଦେଇପୁର ପଞ୍ଚାୟତ ସ୍ବର୍ଗବ୍ରହ୍ମପୁର ଗ୍ରାମରେ। ଏଠାକାର ଏକ ଦଳିତ ପରିବାର ୨ ଅସହାୟ ଭଉଣୀଙ୍କ ପାଇଁ ପକ୍କାଘର ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ଜଣେ ହେଲେ ବନିତା ବେହେରା ଓ ଅନ୍ୟ ଜଣେ ହେଲେ ପ୍ରମିଳା ବେହେରା। ସ୍ବାମୀଙ୍କ ମୃତ୍ୟୁ ପରେ ବନିତା ନିଜ ବାପଘରେ ଆଶ୍ରୟ ନେଇଥିବାବେଳେ ଅନ୍ୟ ଭଉଣୀ ପ୍ରମିଳା ଭିନ୍ନକ୍ଷମ ପରିବାରରେ ରହୁଛନ୍ତି। ବାପା ପହଲି ବେହେରା ରୋଗଗ୍ରସ୍ତ ଅବସ୍ଥାରେ ଶଯ୍ୟାଶାୟୀ। ଏକମାତ୍ର ଭାଇ ଜଗନ୍ନାଥଙ୍କ ଉପରେ ୨ ଭଉଣୀ ନିର୍ଭରଶୀଳ। ଜଗନ୍ନାଥ ମୂଲ ମଜୁରି ଲାଗି କଷ୍ଟମଷ୍ଟେ ପରିବାର ଚଳାଉଥିବାବେଳେ ବେଳେବେଳେ ଉପାସ ରହିବାକୁ ପଡ଼ୁଛି। ବାପା ପହଲି ମହାବାତ୍ୟା ପରେ ପାଇଥିବା ଏକ ପକ୍କାଘରେ ପରିବାରର ୯ ପ୍ରାଣୀ କୁଟୁମ୍ବ ରହିବା ପାଇଁ ଘୋର ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ବିଧବା ବନିତାଙ୍କ ଜଣେ ପୁଅ ଓ ଜଣେ ଝିଅ ଅଛନ୍ତି। ଏହି ବ୍ଲକରୁ ଭତ୍ତା ପାଉଛନ୍ତି। ତେବେ ରାଶନ କାର୍ଡ ନ ଥିବାରୁ ଚଳିବାରେ ଅସୁବିଧା ହେଉଛି।
ମୁଣ୍ଡ ଗୁଞ୍ଜିବା ପାଇଁ ଘରଟିଏ ନଥିବାରୁ ନିଚାଳିଆରେ ଅତି କଷ୍ଟରେ ଜୀବନ କାଟୁଛନ୍ତି ବୋଲି ଦୁଃଖର ସହ କହିଛନ୍ତି। ସେହିପରି ଭିନ୍ନକ୍ଷମ ପ୍ରମିଳା ଗୋଟିଏ ଘରେ ବାପା, ଭାଇ ଭାଉଜ ଓ ପୁତୁରା ଝିଆରୀଙ୍କ ମଧ୍ୟରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହୁଥିବା କହିଛନ୍ତି॥ ୨ ଭଉଣୀଙ୍କୁ ୨ଟି ପକ୍କା ଗୃହ ଯୋଗାଇ ଦେବା ପାଇଁ ବ୍ଲକ ପ୍ରଶାସନ ପାଖରୁ ଆରମ୍ଭ କରି ଜିଲାପାଳ, ୫-ଟି ସଚିବ ଓ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ହେଲେ ଲିଷ୍ଟରେ ନାମ ନ ଥିବାରୁ ସମସ୍ତେ ଏମାନଙ୍କ କଥାକୁ ଅଗ୍ରାହ୍ୟ କରିଦେଇଥିବାର ସାମାଜିକ କର୍ମୀ ଦୀପକ ରଞ୍ଜନ ପଣ୍ଡା କ୍ଷୋଭର ସହ କହିିଛନ୍ତି। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେବାକୁ ସେ ଅନୁରୋଧ କରିଛନ୍ତି। ନଚେତ ଦୁଇ ଭଉଣୀଙ୍କ ସହ ସେ ନିଜେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ସାମାଜିକ କର୍ମୀ ପଣ୍ଡା ସୂଚନା ଦେଇଛନ୍ତି। ଏ ସମ୍ପର୍କରେ ବିଡିଓ ତପନ କୁମାର ସେନାପତିଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନ ଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share