ଦୁର୍ଗାପୂଜା ଭସାଣିରେ ୨ ହିନ୍ଦୁଙ୍କୁ ହତ୍ୟା

ଢାକା,୧୬।୧୦: ବାଂଲାଦେଶରେ ପୁଣିଥରେ ସାମ୍ପ୍ରଦାୟିକ ହିଂସାକାଣ୍ଡ ଘଟିଛି। ଏଥିରେ ୨ ଜଣ ହିନ୍ଦୁଙ୍କୁ ହତ୍ୟା କରାଯାଇଛି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ହିଂସାକାଣ୍ଡରେ ୬ ଜଣଙ୍କ ଜୀବନ ଗଲାଣି। ଦୁର୍ଗାପୂଜା ଉତ୍ସବ ବେଳେ ଜଣେ ହିନ୍ଦୁ ଦେବତାଙ୍କ ଆଣ୍ଠୁ ଉପରେ କୋରାନ ରଖାଯାଇଥିବାର ଫଟୋ ପ୍ରସାରିତ ହେବା ପରେ ଏହାକୁ ନେଇ ବୁଧବାରଠାରୁ ସେଠାରେ ପ୍ରତିବାଦ ଆରମ୍ଭ ହୋଇଥିଲା। ସଂଖ୍ୟାଗରିଷ୍ଠ ମୁସଲମାନମାନେ କେତେକ ସ୍ଥାନରେ ଦୁର୍ଗାପୂଜା ପେଣ୍ଡାଲ ଭଙ୍ଗାରୁଜା କରିଥିଲେ। ଏହି ହିଂସା ପ୍ରାୟ ୧୨ଟି ଜିଲାକୁ ବ୍ୟାପିଥିଲା। ବୁଧବାର ହାଜିଗଞ୍ଜସ୍ଥିତ ଏକ ହିନ୍ଦୁ ମନ୍ଦିର ଭଙ୍ଗାରୁଜା କରୁଥିବା ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡ଼ାଇବା ପାଇଁ ପୋଲିସ ଗୁଳିଚାଳନା କରିବାରୁ ୪ ଜଣଙ୍କ ମୃତ୍ୟୁ ଘଟିଥିଲା। ଶୁକ୍ରବାର ଦୁର୍ଗାପୂଜାର ଶେଷ ଦିନରେ ବେଗୁମଗଞ୍ଜ ସହରରେ ହିନ୍ଦୁମାନେ ଭସାଣି ଶୋଭାଯାତ୍ରା ବାହାର କରିବା ଲାଗି ପ୍ରସ୍ତୁତ ହେଉଥିବାବେଳେ ୨୦୦ରୁ ଊର୍ଦ୍ଧ୍ୱ ମୁସଲମାନ ସେଠାରେ ପହଞ୍ଚତ୍ ଏକ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ କରିଥିଲେ। ସେମାନେ ମନ୍ଦିର କମିଟିର ଜଣେ ସଦସ୍ୟଙ୍କୁ ମାଡ଼ ମାରିବା ସହ ଛୁରିଭୁସି ହତ୍ୟା କରିଥିବା ସ୍ଥାନୀୟ ଥାନା ଅଧିକାରୀ କହିଛନ୍ତି। ଶନିବାର ସକାଳେ ଅନ୍ୟ ଜଣେ ହିନ୍ଦୁଙ୍କ ମୃତଦେହ ମନ୍ଦିର ନିକଟସ୍ଥ ପୋଖରୀରୁ ମିଳିଛି।

Share