ହାତୀ ଆକ୍ରମଣରେ ଫରେଷ୍ଟରଙ୍କ ସମେତ ୨ ଗୁରୁତର

ବାରିପଦା,୧୧ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ବେଣାପୁରା ଗ୍ରାମ ନିକଟରେ ହାତୀ ଆକ୍ରମଣରେ ଜଣେ ଫରେଷ୍ଟର ଓ ଜଣେ ଅସ୍ଥାୟୀ ବନକର୍ମଚାରୀ ଗୁରୁତର ହୋଇଛନ୍ତି। ସେମାନେ ହେଲେ ବଡ଼ାମପୁର ଫରେଷ୍ଟର ପ୍ରଦୀପ ଦେହୁରୀ ଓ ଜଣେ ଅସ୍ଥାୟୀ ବନକର୍ମଚାରୀ ଯତୀନ କିସ୍କୁ। ଉଭୟଙ୍କୁ ରବିବାର ବିଳମ୍ବିତ ରାତିରେ ବାରିପଦା ପିଆରଏମ ମେଡିକାଲରେ ଭର୍ତ୍ତି କରାଯାଇଛି। ଫରେଷ୍ଟରଙ୍କ ଛାତିରେ ଆଘାତ ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଆବଶ୍ୟକ ପଡ଼ିଲେ ବେସରକାରୀ ଡାକ୍ତରଖାନାରେ ତାଙ୍କ ଚିକିତ୍ସା କରାଯିବ ବୋଲି ବାରିପଦା ବନଖଣ୍ଡ ଅଧିକାରୀ ସନ୍ତୋଷ ଯୋଶୀ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, କିଛିଦିନ ଧରି ହାତୀ ଉପଦ୍ରବ ପାଇଁ ବେତନଟୀ ଓ ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଜନସାଧାରଣ ଓ ଜନବସତିକୁ ସୁରକ୍ଷା ଦେବା ପାଇଁ ବନବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି । ତେବେ ରବିବାର ରାତିରେ ହାତୀଙ୍କୁ ବାଟ କଢ଼ାଉଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ।

Share