୨ ଭାରତୀୟ ଯବାନ ନିହତ ଘଟଣା, ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଜରୁରୀ: ଜୟଶଙ୍କର

ନୂଆଦିଲ୍ଲୀ/କିନ୍‌ସାସା,୨୭ା୭: ଆଫ୍ରିକୀୟ ରାଷ୍ଟ୍ର କଙ୍ଗୋ ସାଧାରଣତନ୍ତ୍ରରେ ଜାତିସଂଘ ବିରୋଧୀ ବିକ୍ଷୋଭ ଉଗ୍ର ହେବାରେ ଲାଗିଛି। ସ୍ଥାନୀୟ ବିଦ୍ରୋହୀଙ୍କ ହିଂସାତ୍ମକ ଆନ୍ଦୋଳନବେଳେ ୧୦ ଜଣଙ୍କ ଜୀବନ ଯାଇଛି। ସେମାନଙ୍କ ମଧ୍ୟରେ ୨ ଭାରତୀୟ ଯବାନ ଅଛନ୍ତି। ଉଭୟ ଯବାନ ରାଜସ୍ଥାନ ବାସିନ୍ଦା। ଦୁହେଁ ହେଡ୍‌ କନଷ୍ଟେବଳ ପାହ୍ୟାର ବୋଲି ଜଣାପଡ଼ିଛି। ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ବିଏସ୍‌ଏଫ୍‌ ଯବାନ ଦ୍ୱୟଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରିବା ସହ ଅପରାଧୀଙ୍କ ବର୍ବର ଆକ୍ରମଣକୁ ନିନ୍ଦା କରିଛନ୍ତି। ସୂଚନାଯୋଗ୍ୟ, ଅଶାନ୍ତ କଙ୍ଗୋରେ ଶାନ୍ତିରକ୍ଷା ପାଇଁ ଦୁଇ ଦଶନ୍ଧି ହେଲା ଜାତିସଂଘର ବାହିନୀ ନିୟୋଜିତ ହୋଇଛି। ବିଦେଶୀ ସୈନ୍ୟଙ୍କ ଉପସ୍ଥିତିକୁ ସ୍ଥାନୀୟ ଶତାଧିକ ସଶସ୍ତ୍ର ବିଦ୍ରୋହୀ ଗୋଷ୍ଠୀ ବିରୋଧ କରିଆସୁଛନ୍ତି। ଅର୍ନ୍ତଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ସୋମବାର ବୁଟେମ୍ବୋରେ ହିଂସ୍ର ଆନ୍ଦୋଳନବେଳେ ୫ଶହରୁ ଊର୍ଦ୍ଧ୍ୱ ବିଦ୍ରୋହୀଙ୍କ ଆକ୍ରମଣରେ ୫ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମଙ୍ଗଳବାର ଏହି ସଂଖ୍ୟା ୧୦କୁ ବୃଦ୍ଧି ପାଇଛି। ଏଥିସହ ପ୍ରାୟ ୫୦ ଜଣ ଆହତ ହୋଇଛନ୍ତି। କଙ୍ଗୋ ପୋଲିସ ଓ ସୈନ୍ୟମାନେ ଆନ୍ଦୋଳନସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ ପାଇଁ ଉଦ୍ୟମ କରିଥିଲେ। ବିଏସ୍‌ଏଫ୍‌ ପକ୍ଷରୁ ଲୁହବୁହା ବାଷ୍ପ ପ୍ରୟୋଗ କରାଯାଇଥିଲା। ସେମାନେ ବିଦ୍ରୋହୀମାନଙ୍କୁ ଘଉଡାଇ ଦେଇଥିଲେ। କିନ୍ତୁ ସଶସ୍ତ୍ର ବିଦ୍ରୋହୀ ପୁଣି ଥରେ ଫେରି ପାଲଟା ଆକ୍ରମଣ କରିଥିଲେ। ଏହି ଆକ୍ରମଣ ପାଇଁ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଜରୁରୀ ବୋଲି ଜୟଶଙ୍କର ଟୁଇଟ କରିଛନ୍ତି।

Share