ଦିଗପହଣ୍ଡି,୭ା୧(ଅଶେଷ ନାଥ ମିଶ୍ର)-ବେଆଇନ ଗଞ୍ଜେଇ ଚାଷରେ ସମ୍ପୃକ୍ତ ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ କାଳିବୋରେଇ ଗାଁର ଇଣ୍ଡମ ବଡ଼ ରଇତ ଏବଂ କେଶବ ଶବରଙ୍କୁ ପାଟପୁର ପୋଲିସ ମଙ୍ଗଳବାର ବ୍ରହ୍ମପୁର ଜିଲା ଦୌରା ଜଜ୍ କୋର୍ଟକୁ ଚାଲାଣ କରିଛି। ଥାନା ମାମଲା ନଂ.୫୩୮/୨୪ ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ଦ୍ୱୟଙ୍କୁ ବ୍ରହ୍ମପୁର ଜେଲକୁ ପଠାଯାଇଛି। କାଳିବୋରେଇ ଗ୍ରାମ ନିକଟ ଗୋଠବଣିଆ ସଂରକ୍ଷିତ ଜଙ୍ଗଲରେ ଅଭିଯୁକ୍ତ ଦ୍ୱୟ କିଛିବର୍ଷ ହେଲା ବେଆଇନ ଭାବେ ଗଞ୍ଜେଇ ଚାଷ କରି ବିଭିନ୍ନ ଅଞ୍ଚଳକୁ ଚୋରା ଚାଲାଣ କରୁଥିଲେ। ପାଟପୁର ପୋଲିସ ଗତ ୧୪ ତାରିଖରେ ଜଙ୍ଗଲରେ ଚଢାଉ କରି ପ୍ରାୟ ୨୨ ଏକର ଜଙ୍ଗଲ ଜମିରେ ଚାଷ କରାଯାଇଥିବା ଗଞ୍ଜେଇ ଗଛ ଗୁଡ଼ିକୁ କାଟି ନଷ୍ଟ କରିଥିଲା। ଗିରଫ ଭୟରେ ଅଭିଯୁକ୍ତ ଦ୍ୱୟ ଫେରାର ଥିଲେ। ଉଭୟେ ଗାଁ କୁ ଫେରିଥିବା ଖବର ପାଇ ପୋଲିସ ସେମାନଙ୍କୁ ଗିରଫ କରିଥିଲା।