ନାଭାଲ୍‌ନି ଗ୍ରୁପ୍‌ ପାଇଁ କାମ କରୁଥିବା ୨ ଖବରଦାତା ଗଲେ ଜେଲ

ଲଣ୍ଡନ,୨୮ା୪:ରୁଷିଆର ଦିବଂଗତ ବିରୋଧୀ ଦଳ ନେତା ଆଲେକ୍ସି ନାଭାଲ୍‌ନିଙ୍କ ଦ୍ୱାରା ପ୍ରତିଷ୍ଠିତ ଗ୍ରୁପ୍‌ ପାଇଁ କାମ କରୁଥିବା ଅଭିଯୋଗରେ ୨ ଜଣ ଖବରଦାତାଙ୍କୁ ଭ୍ଲାଡିମିର ପୁଟିନ୍‌ ସରକାର ଗିରଫ କରି ଜେଲ ପଠାଇଛନ୍ତି। ସେମାନଙ୍କ ବିରୋଧରେ ଉଗ୍ରବାଦ ଅଭିଯୋଗ ଅଣାଯାଇଛି। ରୁଷୀୟ ଖବରଦାତା କୋନ୍‌ଷ୍ଟାଣ୍ଟିନ୍‌ ଗାବୋଭ ଏବଂ ସର୍ଗେଇ କାରେଲିନ୍‌ଙ୍କ ବିରୋଧରେ ଲାଗିଥିବା ଦଫା ଅନୁଯାୟୀ ବିଚାର ଆରମ୍ଭ ପୂର୍ବରୁ ତାଙ୍କୁ ଅନୂ୍ୟନ ୨ ମାସ ଜେଲରେ ରହିବାକୁ ପଡ଼ିବ। ଉଗ୍ରବାଦରେ ସମ୍ପୃକ୍ତି ପ୍ରମାଣିତ ହେଲେ ସେମାନଙ୍କୁ ୨ ବର୍ଷରୁ ୬ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶ ମିଳିପାରେ। ୟୁକ୍ରେନ୍‌ ଉପରେ ରୁଷିଆ ୨ ବର୍ଷରୁ ଊର୍ଦ୍ଧ୍ୱ ଆକ୍ରମଣ ଚଳାଇଥିବାବେଳେ ଭିନ୍ନ ମତ ରଖୁଥିବା ବ୍ୟକ୍ତି ଏବଂ ସ୍ବାଧୀନ ଗଣମାଧ୍ୟମ ଉପରେ ସରକାର କାର୍ଯ୍ୟାନୁଷ୍ଠାନ ନେଉଛନ୍ତି। ପୂର୍ବରୁ ଅନେକ ଖବରଦାତା ସରକାରଙ୍କ ବିରୋଧରେ ସ୍ବର ଉଠାଇ ଗିରଫର ହୋଇଛନ୍ତି। ସେନା ବିରୋଧରେ ଭୁଲ ତଥ୍ୟ ଦେବା କିମ୍ବା ସେନାକୁ ସମାଲୋଚନା କରି ମନ୍ତବ୍ୟ ଦେବାକୁ ନୂଆ ଆଇନରେ ଅପରାଧ ବିବେଚନା କରାଯାଇଛି। ପୂର୍ବରୁ ଫୋର୍ବସ୍‌ ପତ୍ରିକାର ସାମ୍ବାଦିକ ସର୍ଗେଇ ମିଙ୍ଗାଜୋଭ୍‌ଙ୍କୁ ଏହି ମାମଲାରେ ଗିରଫ କରାଯାଇଥିଲା।

Share