୨ଜଣଙ୍କୁ ଦଳିଦେଲା ହାତୀ

ରାଉରକେଲା/ଟେନ୍‌ସା,୧ା୭(ସଙ୍ଗୀତା ଜେନା/ ସମୀର ପାଢ଼ୀ): ସୁନ୍ଦରଗଡ଼ ଜିଲାରେ ହାତୀ ଆତଙ୍କ ଥମୁନାହିଁ। ସୋମବାର ଜିଲାର ପୃଥକ୍‌ ପୃଥକ୍‌ ସ୍ଥାନରେ ହାତୀ ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଦକ୍ଷିଣ ରାଉରକେଲା ଟାଙ୍ଗରପାଲୀ ଥାନା ସୋନାପର୍ବତ ଗଞ୍ଜୁଟୋଲା ଅଞ୍ଚଳର ଶୁକ୍ରମଣି ସମାସୀ(୬୯)। ଅନ୍ୟ ଜଣେ ହେଲେ କୋଇଡ଼ା ଫରେଷ୍ଟ ରେଞ୍ଜ କାଲଟା ଗ୍ରାମପଞ୍ଚାୟତ ଝିରୀପାଣି ନିକଟ ଦୋଲୋଡିହାର ସାମୁଏଲ ଆଇନ୍ଦି (୫୫)।

ଶୁକ୍ରମଣି ଭୋର ୫ଟାରେ ନିକଟସ୍ଥ ଜଙ୍ଗଲକୁ ମହୁଲ ଫଳ ଗୋଟାଇବା ପାଇଁ ଯାଇଥିଲେ। ସେହି ସମୟରେ ଶାବକ ସହ ଦୁଇଟି ମାଈ ହାତୀ ମହୁଲ ଖାଇବାକୁ ଉକ୍ତ ସ୍ଥାନରେ ପହଞ୍ଚି ଥିଲେ। ହାତୀ ହାବୁଡ଼ରେ ଶୁକ୍ରମଣି ପଡିବାରୁ ତାଙ୍କୁ ଶୁଣ୍ଢରେ ଟେକି କଚାଡି ଦେଇ ପାଦରେ ଦଳି ଦେଇଥିଲା। ଶୁକ୍ରମଣିଙ୍କ ଚିତ୍କାର ଶୁଣି ଆଖପାଖରେ ଥିବା ଲୋକେ ଘଟଣାସ୍ଥଳରେ ପହଞ୍ଚି ଥିଲେ। ହାତୀକୁ ଘଉଡାଇ ବନବିଭାଗ ଓ ପୋଲିସକୁ ସୂଚନା ଦେଇଥିଲେ।

ପୋଲିସ ଓ ବନବିଭାଗ କର୍ମଚାରୀ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ ବିକ୍ଷୋଭ କରିଥିଲେ। ବନବିଭାଗ ପକ୍ଷରୁ କ୍ଷତିପୂରଣ ମିଳିବାର ପ୍ରତିଶ୍ରୁତି ପରେ ଲୋକେ ଶାନ୍ତ ହୋଇଥିଲେ। ରାଉରକେଲା ଡିଏଫଓ ଯଶୋବନ୍ତ ସେଠୀ କହିଛନ୍ତି ହାତୀ ଆକ୍ରମଣରେ ମୃତ୍ୟୁକ୍ଷେତ୍ରରେ ୬ଲକ୍ଷ ଟଙ୍କା କ୍ଷତିପୂରଣ ମିଳିଥାଏ। ଶୁକ୍ରମଣିଙ୍କ ପରିବାର ଲୋକଙ୍କୁ ଏହି ରାଶି ପ୍ରଦାନ କରାଯିବ ବୋଲି ସେଠୀ ସୂଚନା ଦେଇଛନ୍ତି। ପୋଲିସ ଏକ ଅପମୃତ୍ୟୁ ମାମଲା(ନଂ. ୯/୨୦୨୪) ରୁଜୁ କରିଛି। ଥାନାରେ ମୃତା ମହିଳାଙ୍କ ଝିଆରୀ ଚାନ୍ଦ ସମାସୀ ଏତଲା ଦେଇଛନ୍ତି।

ସେହିପରି ସାମୁଏଲ ସକାଳ ୬ଟାରେ ନିକଟସ୍ଥ ଜଙ୍ଗଲ ପାଖରେ ଥିବା ନାଳକୁ ଶୌଚ ହେବାକୁ ଯାଇଥିଲେ। ସେଠାରେ ଥିବା ଦନ୍ତା ହାତୀ ହାବୁଡ଼ରେ ପଡିଯାଇଥିଲେ। ସାମୁଏଲଙ୍କୁ ହାତୀ ଶୁଣ୍ଡରେ ଟେକି ନେଇ ପାଦରେ ଦଳି ଚକଟି ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବରପାଇ କୋଇଡା ବନ କର୍ମଚାରୀ ଓ କୋଇଡା ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କୋଇଡା ପଠାଇଛନ୍ତି। କ୍ଷତିପୂରଣ ବାବଦରେ ପରିବାରକୁ ତୁରନ୍ତ ୬୦ହଜାର ଟଙ୍କା ପରେ ସମସ୍ତ ଡକ୍ୟୁମେଣ୍ଟ ପ୍ରଦାନ କଲେ ୫ଲକ୍ଷ ୪୦ ହଜାର ମିଳିବ ବୋଲି କୋଇଡା ରେଞ୍ଜର ଗୌତମ ପ୍ରଧାନ ପ୍ରକାଶ କରିଛନ୍ତି।

Share