୧୪ ବଗି ଛାଡ଼ି ୨ କି.ମି. ଗଡ଼ିଲା ଇଞ୍ଜିନ

ରୂପ୍‌ସା, ୧୨।୬(ବାଞ୍ଛାନିଧି ଦେ):ଦକ୍ଷିଣ ପୂର୍ବ ରେଳପଥ ଖଡ଼ଗପୁର ଡିଭିଜନର ବାଲେଶ୍ୱର ଜିଲା ଅଧୀନ ଅମର୍ଦ୍ଦାରୋଡ ଷ୍ଟେଶନ ନିକଟରେ ମଙ୍ଗଳବାର ଏକ ମାଲବାହୀ ଟ୍ରେନର ଭ୍ୟାକୁମ ପାଇପ୍‌ ଅଚଳ ହେବାରୁ ୧୪ଟି ବଗି ଛାଡି ଇଞ୍ଜିନ ୨ କି.ମି. ଗଡ଼ିଯାଇଥିଲା। ଇଞ୍ଜିନ ସହ ଅନ୍ୟ ୧୬ଟି ବଗି ଲାଗି ରହିଥିଲା। ବିଶେଷଜ୍ଞ ଟିମ୍‌ ତଦାରଖ କରିବା ସହ ପାଖାପାଖି ୧ଘଣ୍ଟାର ବିଳମ୍ବ ପରେ ତ୍ରୁଟି ସଜଡ଼ାଯାଇ ଯାତାୟାତ ସ୍ବାଭାବିକ ହୋଇଥିଲା।
ମଙ୍ଗଳବାର ଅପରାହ୍ନରେ ସାନ୍ତରାଗାଛିରୁ ଭଦ୍ରକ ଅଭିମୁଖେ ଯାଉଥିବା ମାଲବାହୀ ଟ୍ରେନ ଅମର୍ଦ୍ଦାରୋଡ ରେଳଷ୍ଟେଶନ ଅତିକ୍ରମ ପରେ ଟ୍ରେନର ଭ୍ୟାକୁମ ପାଇପ୍‌ ଅଚଳ ହୋଇଯାଇଥିଲା। ଫଳରେ ଇଞ୍ଜିନଠାରୁ ବଗିଗୁଡିକ ଅଲଗା ହୋଇଯାଇଥିଲା। ଅମର୍ଦ୍ଦାରୋଡ ଗେଟ ଉପରେ ୧୪ଟି ବଗି ରହିଯାଇଥିଲା। ଖବରପାଇ ଷ୍ଟେଶନ ମ୍ୟାନେଜର ବିଭାଗୀୟ ଅଧିକାରୀଙ୍କୁ ସଙ୍ଗେ ସଙ୍ଗେ ଜଣାଇଥିଲେ। କିଛି ସମୟ ମଧ୍ୟରେ ରେଳ ବିଭାଗର ଏକ ବିଶେଷଜ୍ଞ ଟିମ୍‌ ପହଞ୍ଚତ୍ ଘଟଣାର ତଦାରଖ କରିଥିଲେ। ସଙ୍ଗେ ସଙ୍ଗେ ତ୍ରୁଟି ସଜଡ଼ାଯାଇ ଟ୍ରେନର ବଗିଗୁଡ଼ିକ ସହ ଇଞ୍ଜିନର ସଂଯୋଗ କରାଯାଇ ଗନ୍ତବ୍ୟସ୍ଥଳକୁ ପଠାଯାଇଥିଲା। ପ୍ରବଳ ଗରମ ଯୋଗୁ ଅମର୍ଦ୍ଦାରୋଡ ରେଳ ଫାଟକ ପାରି ହେବାକୁ ଶହ ଶହ ଲୋକ ଛଟପଟ ହେଉଥିବା ବେଳେ ପାଖାପାଖି ୧ ଘଣ୍ଟାରୁ ଊଦ୍ଧର୍‌ବ ସମୟ ବିଳମ୍ବରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା।