Advertisement

ଷ୍ଟ୍ରେଚରରେ ୨ କି.ମି. ବୁହାହେଲେ ରୋଗୀ

ସାଲେପୁର,୫।୭(ଅରବିନ୍ଦ ଭୂୟାଁ): ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗାଁ ରାସ୍ତାଗୁଡିକୁ ପକ୍କା କରିବା ଉପରେ ଗୁରୁତ୍ୱାରୋପ କରୁଥିବାବେଳେ ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ଲୋକପ୍ରତିନିଧିଙ୍କ ଅବହେଳା ଯୋଗୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କଟକ ଜିଲା ସାଲେପୁର ବ୍ଲକ ଅଞ୍ଚଳରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି। ବର୍ଷା ପରେ ରାସ୍ତା କାଦୁଅ ହୋଇଥିବାରୁ ଗୁରୁବାର ଗାଁକୁ ଆମ୍ବୁଲାନ୍ସ ଆସିପାରିନାହିଁ। ଶେଷରେ ର୍ରେଚରରେ ଜଣେ ରୋଗୀଙ୍କୁ ୨ କିଲୋମିଟରରୁ ଊର୍ଦ୍ଧ୍ୱ ବାଟ ବୋହିଛନ୍ତି। ସାଲେପୁର ବ୍ଲକ ରାମେଶ୍ୱର ପଞ୍ଚାୟତ ଅନ୍ତର୍ଗତ ରେବା ଗାଁର ବିମ୍ବାଧର କାଣ୍ତି (୪୦) ରୋଗରେ ପଡ଼ି ଗୁରୁବାର ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ଡାକ୍ତରଖାନାକୁ ନେବାପାଇଁ ୧୦୮ ଆମ୍ବୁଲାନ୍ସ ଡକାଯାଇଥିଲା। ମାତ୍ର ଗାଁ ରାସ୍ତାଟି ପାଣି କାଦୁଅରେ ଭରି ରହିଥିବାରୁ ସେଠାକୁ ଆମ୍ବୁଲାନ୍ସ ଯାଇ ପାରି ନ ଥିଲା। ବାଧ୍ୟ ହୋଇ ଗ୍ରାମବାସୀ ଷ୍ଟ୍ରେଚର ଯୋଗେ ତାଙ୍କୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେବା ପରେ ସେଠାରୁ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା।
ରାମେଶ୍ୱର ପଞ୍ଚାୟତ ଉଚ୍ଚଢିଅଠାରୁ ରେବା ହାଇସ୍କୁଲ ପର୍ଯ୍ୟନ୍ତ ପ୍ରାୟ ୨କିମି ଦୂର । ପଞ୍ଚାୟତରୁ ଗାଁକୁ ସଂଯୋଗ ହୋଇଥିବା ରାସ୍ତା ଉପରେ ଏହି ଗ୍ରାମର ୧୫ ନମ୍ବର ୱାର୍ଡର ୮୦୦ରୁ ଊର୍ଦ୍ଧ୍ୱ ଜନସାଧାରଣ ନିର୍ଭରଶୀଳ। ଆଖ ପାଖ ପଞ୍ଚାୟତର ସ୍କୁଲ ପିଲାଙ୍କଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ଲୋକେ ଏହି ରାସ୍ତାଦେଇ ଯାତାୟାତ କରନ୍ତି। ଏହି ରାସ୍ତାରେ ବର୍ଷା ଦିନେ ଜରୁରିକାଳୀନ ଗାଡି ଆସିବା ତ ଦୂରର କଥା, ଯାତାୟାତ ଏକ ପ୍ରକାର ଠପ୍‌ ହୋଇଯାଏ। ବିଭାଗୀୟ ଅଧିକାରୀଙ୍କଠାରୁ ଆରମ୍ଭ କରି ପ୍ରଶାସନ ନେତା ମନ୍ତ୍ରୀଙ୍କୁ ଗୁହାରି କଲେ ମଧ୍ୟ କୌଣସି ସୁଫଳତା ମିଳି ପାରିଲା ନାହଁ । ପ୍ରଶାସନ ଏଥିପ୍ରତି ତୁରନ୍ତ ପ୍ରତି ଦୃଷ୍ଟି ନ ଦେଲେ ଆଗାମୀ ଦିନରେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share