Categories: ଜାତୀୟ

୨ ଲକ୍ଷ ଫି’ ଦେଲେ ‘ଡକାୟତିରେ ସ୍ନାତକ’:ଅପରାଧୀ ହେବା ପାଇଁ ପିଲାଙ୍କୁ ଦିଆଯାଉଛି ତାଲିମ

ଭୋପାଳ, ୨୧ା୮:ମଧ୍ୟପ୍ରଦେଶ ରାଜଗଡ଼ ଜିଲାର ପଚୋର ତହସିଲ ଅନ୍ତର୍ଗତ ୩ ଗ୍ରାମରେ ପିଲାମାନଙ୍କୁ ଅପରାଧୀ ହେବା ପାଇଁ ଟ୍ରେନିଂ ଦିଆଯାଉଥିବାର ଏକ ଅଜବ ମାମଲା ସାମ୍‌ନାକୁ ଆସିଛି। ଅଗଷ୍ଟ ୮ରେ ରାଜସ୍ଥାନରେ ଏକ ବିବାହରେ ଦେଢ଼ କୋଟି ଟଙ୍କା ମୂଲ୍ୟର ଅଳଙ୍କାର ଓ ନଗଦ ୧ ଲକ୍ଷ ଟଙ୍କା ଚୋରି ହୋଇଥିଲା। ଏହି ମାମଲାରେ ପୋଲିସ ଏକ ଆପରାଧିକ ଗୋଷ୍ଠୀର ସଦସ୍ୟମାନଙ୍କୁ ଗିରଫ କରି କଡ଼ିଆ, ଗୁଲଖେଡ଼ି ଓ ହୁଲଖେଡ଼ି ଗ୍ରାମରେ ଚାଲିଥିବା ର଼୍ୟାକେଟର ରହସ୍ୟ ଉପରୁ ପରଦା ହଟାଇଥିଲା।
ରାଜଧାନୀ ଭୋପାଳଠାରୁ ୧୧୭ କି.ମି. ଦୂର ଏହି ୩ ଗଁାରେ ପିଲାମାନଙ୍କୁ କମ୍‌ ବୟସରୁ ଚୋରି, ଲୁଟ୍‌ପାଟ, ଡକାୟତି ଆଦି ଅପରାଧ ଶିଖାଯାଇଥାଏ ବୋଲି ମଧ୍ୟପ୍ରଦେଶ ଏଡିଜି ଜୟଦୀପ ପ୍ରସାଦ କହିଛନ୍ତି। ଉକ୍ତ ଅଞ୍ଚଳର ପିଲାଙ୍କୁ ୧୨ରୁ ୧୩ ବର୍ଷ ହେବାମାତ୍ରେ ଅପରାଧ ଶିକ୍ଷା ପାଇବା ପାଇଁ ଅଭିଭାବକମାନେ ଏଠାକୁ ପଠାଇଥାନ୍ତି। ଅଭିଭାବକମାନେ ଅପରାଧୀଙ୍କ ବିଭିନ୍ନ ଗ୍ୟାଙ୍ଗ୍‌ ଲିଡରଙ୍କୁ ଭେଟି ସେମାନଙ୍କ ପିଲାମାନଙ୍କୁ ଅପରାଧରେ କିଏ ଭଲ ତାଲିମ ଦେଇପାରିବେ ତାହା ସ୍ଥିର କରିଥାନ୍ତି। ଏହି ଶିକ୍ଷା ପାଇବା ପାଇଁ ପିଲାଙ୍କ ଅଭିଭାବକଙ୍କୁ ୨ରୁ ୩ ଲକ୍ଷ ଟଙ୍କା ଫି’ ଆକାରରେ ଦେବାକୁ ପଡ଼ିଥାଏ। ଏଠାରେ ପିଲାମାନଙ୍କୁ ପକେଟ୍‌ମାର କରିବା, ଭିଡ଼ରୁ ବ୍ୟାଗ୍‌ ଉଠାଇନେବା, ଚୋରି ଧରାପଡ଼ିବାର ସମ୍ଭାବନା ଥିଲେ ଦ୍ରୁତ ଗତିରେ ଦୌଡ଼ିବା, ପୋଲିସଠାରୁ ଦୂରେଇ ରହିବା, ମାଡ଼କୁ ସହିବା ଆଦି ବିଭିନ୍ନ ଅପରାଧ କୌଶଳ ସମ୍ପର୍କରେ ଶିକ୍ଷା ଦିଆଯାଇଥାଏ। ବର୍ଷେ ପର୍ଯ୍ୟନ୍ତ ପିଲାଟିକୁ ବିଭିନ୍ନ ଆପରାଧିକ ଗ୍ୟାଙ୍ଗରେ କାମ କରିବାରୁ ସୁଯୋଗ ମିଳିଥାଏ ବୋଲି ଜୟଦୀପ କହିଛନ୍ତି।
ପୋଲିସ ସୂଚନା ଅନୁଯାୟୀ, ଦେଶରେ ଘଟୁଥିବା ଅନେକ ଆପରାଧିକ ଘଟଣାରେ ଉକ୍ତ ୩ ଗ୍ରାମରେ ଅପରାଧର ଟ୍ରେନିଂ ନେଉଥିବା ପିଲାମାନଙ୍କର ସମ୍ପୃକ୍ତି ରହିଛି। ପୋଲିସ କହିଛି, ଉକ୍ତ ଗ୍ରାମର ମହିଳାମାନେ କୌଣସି ବାହାର ଲୋକଙ୍କୁ ଦେଖିବା ମାତ୍ରେ ନ ଶୁଣିଲା ପରି ଅଭିନୟ କରନ୍ତି। ସେହିପରି ଯଦି କେହି ଅଜ୍ଞାତ ବ୍ୟକ୍ତି ଗ୍ରାମରେ ପ୍ରବେଶ କରେ, ତେବେ ଗ୍ରାମବାସୀ ତୁରନ୍ତ ସତର୍କ ହୋଇଯାଆନ୍ତି। ସେହିପରି କ୍ୟାମେରା କିମ୍ବା ମୋବାଇଲ ଫୋନ୍‌ ଧରି ଉକ୍ତ ଗ୍ରାମଗୁଡ଼ିକୁ ଆସୁଥିବା ଅଜଣା ବ୍ୟକ୍ତିମାନଙ୍କୁ ବିରୋଧର ସାମ୍‌ନା କରିବାକୁ ପଡ଼ିଥାଏ। ସ୍ଥାନୀୟ ବୋଡ଼ା ଥାନା ଇନ୍‌ସ୍ପେକ୍ଟର ରାଜକୁମାର ଭଗତଙ୍କ ଅନୁଯାୟୀ, ଏହି ୩ ଗ୍ରାମରୁ ଅପରାଧର ଟ୍ରେନିଂ ନେଉଥିବା ପିଲାମାନେ ଅଲଗା ଅଲଗା ରାଜ୍ୟ ଏବଂ ସହର ଯାଇ ବିବାହ ସମାରୋହଗୁଡ଼ିକରୁ ସୁନା ଗହଣା, ଟଙ୍କା ଆଦି ଚୋରି କରିଥାନ୍ତି। ଏହି ୩ ଗ୍ରାମର ୨ ହଜାର ଲୋକଙ୍କ ନାଁରେ ଦେଶବ୍ୟାପୀ ବିଭିନ୍ନ ଥାନାରେ ୮ ହଜାରରୁ ଅଧିକ ମାମଲା ରୁଜୁ ହୋଇଥିବା ସେ ସୂଚନା ଦେଇଛନ୍ତି। ମଧ୍ୟପ୍ରଦେଶର ଏହି ୩ ଗ୍ରାମ ଅପରାଧର ବିଦ୍ୟାଳୟରେ ପରିଣତ ହୋଇଥିବାବେଳେ, ରାଜ୍ୟ ପ୍ରଶାସନ ଓ ପୋଲିସ ପକ୍ଷରୁ ଏହାକୁ ପ୍ରତିହତ କରିବାକୁ ଯୋଜନା ପ୍ରସ୍ତୁତ କରାଯାଉଛି।

Share