Categories: ଜାତୀୟ

ଆସାମରେ ପ୍ରଳୟଙ୍କରି ବନ୍ୟା, ୨୦ ଜିଲାର ୨ ଲକ୍ଷ ଲୋକ ପ୍ରଭାବିତ

ଗୁଆହାଟି,୧୭ ।୫: ଉତ୍ତର ଭାରତରେ ଲଗାତାର ବଢିଚାଲିଛି ଗ୍ରୀଷ୍ମର ପ୍ରକୋପ । ଏପଟେ ଆସାମରେ ଲଗାତାର ବର୍ଷା ଯୋଗୁ ବନ୍ୟା ଓ ଭୂସ୍ଖଳନ ଭଳି ପରିସ୍ଥିତି ଉପୁଜିଛି । ଏହାଫଳରେ ୨୦ ଜିଲାରେ ପ୍ରାୟ ୨ ଲକ୍ଷ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ସୋମବାର ଆସିଥିବା ଏକ ସରକାରୀ ବୟାନ ଅନୁଯାୟୀ, ପାହାଡିଆ ଅଞ୍ଚଳ ଦିମା ହସାଉ ଜିଲାରେ ଭୁସ୍ଖଳନ ପରେ ଟ୍ରେନ୍ ଓ ସଡ଼କ ଲିଙ୍କ ବିଚ୍ଛିନ୍ନ ହୋଇଯିବା ପରେ ବାକି ରାଜ୍ୟକୁ ସଂଯୋଗ କରାଯାଇପାରୁନାହିଁ ।
ସରକାରୀ ସୂଚନା ଅନୁଯାୟୀ, ଆସାମର କଚ୍ଛାର ଜିଲା ବନ୍ୟାରେ ୨ ଜଣଙ୍କ ମୃତ୍ୟୁ ହେବାସହ ଦିମା ହସାଉରେ ହୋଇଥିବା ଭୁସ୍ଖଳନ ଯୋଗୁଁ ୩ ଜଣଙ୍କ ମୃତ୍ୟୁ ହୋଇଯାଇଛି । ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ(ଏଏସଡିଏମଏ)ର ସୂଚନା ଅନୁଯାୟୀ, ବନ୍ୟାରେ ପାଖାପାଖି ୧,୯୭,୨୪୮ ଜଣ ପ୍ରଭାବିତ ହୋଇଛନ୍ତି । ତେବେ ୨୦ ଜିଲାରେ ୪୬ ରାଜସ୍ୱ ମଣ୍ଡଳରେ ପାଖାପାଖି ୬୫୨ ଗାଁ ଏବେ ସୁଦ୍ଧା ବର୍ଷା ଓ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି ।

Share