Categories: ଜାତୀୟ

୨ ଲକ୍ଷ ପିଏସ୍‌ୟୁ ନିଯୁକ୍ତି ରଦ୍ଦ ହୋଇଛି: ରାହୁଲ

ନୂଆଦିଲ୍ଲୀ, ୧୯ା୬: ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସ୍‌ୟୁ)ଗୁଡ଼ିକର ୨ ଲକ୍ଷରୁ ଊର୍ଦ୍ଧ୍ୱ ନିଯୁକ୍ତିକୁ ହଟାଇ ଦିଆଯାଇଛିି। କେନ୍ଦ୍ର ସରକାର ଅଳ୍ପ କେତେଜଣ ପୁଞ୍ଜିପତି ବନ୍ଧୁଙ୍କ ଫାଇଦା ପାଇଁ ଲକ୍ଷ ଲକ୍ଷ ଯୁବବର୍ଗଙ୍କ ସ୍ବପ୍ନକୁ ଚୂରମାର କରିଦେଇଥିବା ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି। ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ ଭାରତର ଗର୍ବ ଓ ନିଯୁକ୍ତି ପାଇଁ ପ୍ରତ୍ୟେକ ଯୁବତୀଯୁବକଙ୍କ ସ୍ବପ୍ନ ବିବେଚନା କରାଯାଉଥିଲା। ଏବେ ତାହା ସରକାରଙ୍କର ପ୍ରାଥମିକତା ନୁହେଁ। ୨୦୧୪ରେ ପିଏସ୍‌ୟୁରେ ୧୬.୯ ଲକ୍ଷ ନିଯୁକ୍ତି ଥିବାବେଳେ ୨୦୨୨ରେ ତାହା ୧୪.୬ ଲକ୍ଷକୁ ହ୍ରାସ ପାଇଛି।

ପ୍ରଗତିଶୀଳ ରାଷ୍ଟ୍ରରେ ନିଯୁକ୍ତି ହ୍ରାସ ପାଏ କି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି। ବିଏସ୍‌ଏନ୍‌ଏଲ ୧,୮୧,୧୨୭ ନିଯୁକ୍ତି ହରାଇଥିବାବେଳେ ସେଲ୍‌ ୬୧,୯୨୮, ଏମ୍‌ଟିଏନ୍‌ଏଲ୍‌ ୩୪୩,୯୯୭, ଏସ୍‌ଇସିଏଲ୍‌ ୨୯,୧୪୦, ଏଫ୍‌ସିଆଇ ୨୮,୦୬୩ ଏବଂ ଓଏନ୍‌ଜିସି ୨୧,୧୨୦ ନିଯୁକ୍ତି ହରାଇଛି। ଯେଉଁମାନେ ବର୍ଷକୁ ୨ କୋଟି ନିଯୁକ୍ତି ଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇଥିଲେ, ନିଯୁକ୍ତି ବଢ଼ାଇବା ପରିବର୍ତ୍ତେ ୨ ଲକ୍ଷରୁ ଊର୍ଦ୍ଧ୍ୱ ନିଯୁକ୍ତିକୁ ହଟାଇ ଦେଇଛନ୍ତି।

ଏହିସବୁ ସଂସ୍ଥାରେ ଠିକା ନିଯୁକ୍ତି ଦୁଇଗୁଣ ବଢ଼ିଛି। ଏହାଦ୍ୱାରା ସଂରକ୍ଷଣର ସାମ୍ବିଧାନିକ ଅଧିକାରକୁ ଛଡ଼ାଇ ନିଆଯାଇଛି। ଏହି କମ୍ପାନୀଗୁଡ଼ିକୁ ଘରୋଇକରଣ କରିବା ପାଇଁ ଏହା ଚକ୍ରାନ୍ତ ନୁହେଁ କି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି। ଶିଳ୍ପପତିଙ୍କ ଋଣ ଛାଡ଼ ହେଉଥିବାବେଳେ ପିଏସ୍‌ୟୁଗୁଡ଼ିକରୁ ନିଯୁକ୍ତି ରଦ୍ଦ କରାଯିବା କି ପ୍ରକାର ଅମୃତ କାଳ ବୋଲି କଂଗ୍ରେସ ନେତା ଟୁଇଟ୍‌ କରିଛନ୍ତି।

Share