ଓଏଲ୍‌ଏକ୍ସରେ ବିଜ୍ଞାପନ ଦେଇ ୨ଲକ୍ଷ ଠକେଇ: ଖେଳାଳି ଗିରଫ

ଭୁବନେଶ୍ୱର,୭।୪ (ବ୍ୟୁରୋ): ମୋବାଇଲ ବିକ୍ରି ପାଇଁ ଓଏଲ୍‌ଏକ୍ସରେ ବିଜ୍ଞାପନ ଦେଇ ୨ ଲକ୍ଷରୁ ଅଧିକ ଟଙ୍କା ଠକିନେଇଥିବା ଜଣେ କଲେଜ ଛାତ୍ର ତଥା ଅଣ୍ଡର-୧୯ କ୍ରିକେଟ୍‌ ଦଳର ଖେଳାଳିଙ୍କୁ ସାଇବର ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣଙ୍କ ହେଲେ ଖଣ୍ଡଗିରି ଥାନା ଅଞ୍ଚଳରେ ରହୁଥିବା ଯାଜପୁରର ଆଶିଷ କୁମାର ଜେନା ଓରଫ ସିଧୁ। ତାଙ୍କଠାରୁ ଠକେଇ ଟଙ୍କା ଜବତ ହୋଇ ନ ଥିବାବେଳେ ଏକ ମୋବାଇଲ ଜବତ କରାଯାଇଥିବା ସାଇବର ଥାନା ପୋଲିସ ସୂଚନା ଦେଇଛି। ଅଭିଯୁକ୍ତଙ୍କ ନାମରେ ସାଇବର ଥାନାରେ ଦୁଇଟି ମାମଲା ଏବଂ ନୟାପଲ୍ଲୀ ଥାନାରେ ଗୋଟିଏ ମାମଲା ରହିଛି। ସେହିଭଳି ସେ କେତେଜଣ ଦୋକାନୀଙ୍କୁ ଢାଲ କରିଥିବା ତଦନ୍ତ ବେଳେ ଜଣାପଡ଼ିଛି। ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି।
ସୂଚନାନୁସାରେ କିଛିଦିନ ତଳେ ଅଭିଯୋଗକାରୀ ସିଦ୍ଧାର୍ଥ ପଟ୍ଟନାୟକଙ୍କୁ ଏକ ଫୋନ କଲ ଆସିଥିଲା। ଏକ ସେକେଣ୍ଡ ହ୍ୟାଣ୍ଡ୍‌ ମୋବାଇଲ ଫୋନ କିଣିବା ଲାଗି ଅଭିଯୁକ୍ତ ଆଶିଷ ତାଙ୍କୁ ପ୍ରବାର୍ତ୍ତାଇଥିଲେ। ସିଦ୍ଧାର୍ଥ ମୋବାଇଲ ଫୋନ କିଣିବା ଲାଗି ରାଜି ହେବା ସହିତ ଇନଫୋସିଟି ଅଞ୍ଚଳକୁ ଯାଇ ଆଶିଷଙ୍କ ନିକଟରେ ଥିବା ଫୋନ ଯାଞ୍ଚ କରିଥିଲେ। ଏହାପରେ ଫୋନ କିଣିବା ଲାଗି ସିଦ୍ଧାର୍ଥ ୟୁପିଆଇ ଆଇଡିରେ ୭୫ହଜାର ଟଙ୍କା ପଠାଇ ଥିଲେ। କିନ୍ତୁ ପରେ ଉକ୍ତ ନମ୍ବରରେ ଯୋଗାଯୋଗ କରିବାରୁ ତାହା ସୁଇଚ୍‌ ଅଫ ଥିବା ଜଣାପଡ଼ିଥିଲା। ସିଦ୍ଧାର୍ଥ ଠକାମିର ଶିକାର ହୋଇଥିବା ଜାଣିପାରି ସାଇବର ଥାନାରେ ଅଭିଯୋଗ କରିଥିଲେ। ସେହିପରି ଆଶିଷ ଆଉ ଦୁଇଜଣଙ୍କୁ ମଧ୍ୟ ଏଭଳି ତରିକାରେ ଠକିଥିବା ପୋଲିସ ଜାଣିବାକୁ ପାଇଛି।

Share