Advertisement

ସାପକାମୁଡ଼ାରେ ୨ ଜୀବନ ଗଲା

ରାଇରଙ୍ଗପୁର,୧୫ା୭(ମାନସ ମହାନ୍ତି): ମୟୂରଭଞ୍ଜ ଜିଲା ପୋଲିସ ସର୍କଲ ଅଧୀନସ୍ଥ ଯାମଦା ଏବଂ ରାଇରଙ୍ଗପୁର ଗ୍ରାମାଞ୍ଚଳ ସମେତ ଦୁଇଟି ଥାନା ଅଞ୍ଚଳରେ ଶନିବାର ସାପ କାମୁଡ଼ାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ପୋଲିସ ପକ୍ଷରୁ ପୃଥକ୍‌ ଭାବେ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରିଛ। କେସ୍‌ ନଂ ୯ ଏବଂ ୧୦ରେ ଦୁଇଟି ମାମଲା ରୁଜୁ କରାଯାଇଛି।

ସୂଚନାଯୋଗ୍ୟ, ଯାମଦା ଥାନା ଅନ୍ତର୍ଗତ ଟେଣ୍ଡରା ପଞ୍ଜାୟତ ସାକଯୋଡ଼ି ଗ୍ରାମର ଯୁବକ ଶିବାଜୀ ଏବାଙ୍ଗେ(୨୨) ନିଜଘର ଅଗଣାରେ ଶୋଇଥିବା ବେଳେ ବିଷଧର ସାପ କାମୁଡ଼ିଥିଲା। ଫଳରେ ସେ ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ଶିବାଜୀଙ୍କୁ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରିବା ବେଳେ ଡାକ୍ତର ଶିବାଜୀଙ୍କୁ ମୃତ ଘୋଷଣା କରିଥିଲେ। ସେହିଭଳି ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରାଇହରି ପଞ୍ଚାୟତ ଭୋଦୁଗୋଡ଼ା ଗ୍ରାମର ଚୈତନ୍ୟ ମୁଣ୍ଡା ( ୭୦ ) ଶନିବାର ସକାଳେ ତାଙ୍କର ଘର ନିକଟସ୍ଥ ଛଣ ଗଦାରୁ ଛଣ କାଢ଼ୁଥିବା ବେଳେ ସାପକାମୁଡ଼ାରେ ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ଚୈତନ୍ୟଙ୍କୁ ଜାତଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଚୈତନ୍ୟଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ପୋଲିସ ମୃତ ଶିବାଜୀ ଏବଂ ଚୈତନ୍ୟ ଉଭୟ ମୃତଦେହ ଜବତ କରି ରାଇରଙ୍ଗପୁର ହସ୍ପିଟାଲରେ ବ୍ୟବଚ୍ଛେଦ କରାଇବା ପରେ ପରିବାରକୁ ହସ୍ତାନ୍ତର କରିଥିବା ଜଣାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share