ଆଗପଛ ହୋଇ ଆସୁଛି ୨ ଲଘୁଚାପ: ୧୩ ରୁ ବଢ଼ିବ ବର୍ଷା

ଭୁବନେଶ୍ୱର,୧୨।୭: ବଙ୍ଗୋପସାଗରରେ ଦୁଇଟି ଲଘୁଚାପ ଆଗପଛ ହୋଇ ଦାନା ବାନ୍ଧିପାରେ। ଏହା ପ୍ରଭାବରେ ବର୍ଷା ବଢ଼ିବା ନେଇ  ସମ୍ଭାବନା ରହିଛି। ତେବେ ଆସନ୍ତା ୧୩ ତାରିଖରୁ  ବର୍ଷା  ପରିମାଣ ବଢ଼ିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଉତ୍ତର ପଶ୍ଚିମ ଓ ପାଶ୍ୱର୍ବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ୧୪ ତାରିଖ ପାଖାପାଖି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ।
ଏହା ଲଘୁଚାପ ରୂପ ମଧ୍ୟ ନେଇପାରେ । ଏହାର ଗତି ଉତ୍ତର- ପଶ୍ଚିମ ଆଡ଼କୁ ରହିବା ନେଇ ଆକଳନ କରାଯାଉଛି । ସେହିପରି ୧୯ ତାରିଖବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ଅଛି, ଏହା ଲଘୁଚାପରେ ପରିଣତ ହେବାନେଇ ଆଶଙ୍କା ରହିଛି । ଏହା ମଧ୍ୟ  ଉତ୍ତର-ପଶ୍ଚିମକୁ ମୁହାଁଇପାରେ ।
ପାଣିପାଗ ବିଭାଗ ଦୁଇ ସପ୍ତାହ ପାଇଁ ଜାରି କରିଥିବା ବିସ୍ତାରିତ ପୂର୍ବାନୁମାନ ଅନୁସାରେ ଜୁଲାଇ ୧୧ରୁ ୧୮ ତାରିଖ ଭିତରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ  ଭଲ ବର୍ଷା ସମ୍ଭାବନା ଅଛି । ୧୮ରୁ ୨୫ ତାରିଖ ଭିତରେ ଅପେକ୍ଷାକୃତ ଅଧିକ ବର୍ଷା ହୋଇପାରେ । ରାଜ୍ୟର ପଶ୍ଚିମ, ଦକ୍ଷିଣ, କେନ୍ଦ୍ରୀୟ ଓ ଉପକୂଳରେ ଅଧିକ ବର୍ଷିବ ।
Share