ଯୁବତୀଙ୍କ ସେଲ୍ଫି ନିଶା। ସେ ବି ଏମିତି ଯେ ସେଲ୍ଫି ପାଇଁ ମୃତ୍ୟୁ ମୁହଁରୁ ଅଳ୍ପକେ ବର୍ତ୍ତିଲେ। ଏଭଳି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶର ଚିଣ୍ଡଓ୍ବାରା ଜିଲାରେ। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଦୁଇ ଜଣ ଯୁବତୀ ସେଲ୍ଫି ପାଇଁ ପେଞ୍ଚ ନଦୀର ମଝିକୁ ଚାଲି ଯାଇଥିଲେ। ହେଲେ ହଠାତ୍ ପାଣି ମାଡ଼ି ଆସିଥିଲା। ଫଳରେ ଯୁବତୀମାନେ ସେଠାରେ ଫସି ଯାଇଥିଲେ। ଏନେଇ ସ୍ଥାନୀୟ ପୋଲିସ ଏବଂ ଲୋକେ ଖବର ପାଇ ସେଠାରେ ପହଞ୍ଚିଥିଲେ। ବହୁ କଷ୍ଟରେ ଯୁବତୀମାନଙ୍କୁ ନଦୀ ମଧ୍ୟରୁ ଉଦ୍ଧାର କରାଯାଇଥିଲା।
କୁହାଯାଉଛି ଯେ, ଯୁବତୀଦ୍ୱୟଥିବା ଏକ ଗ୍ରୁପ୍ ସେଠାକୁ ପିକ୍ନିକ୍ ପାଇଁ ଯାଇଥିଲେ। ହେଲେ ସେମାନେ ସେଲ୍ଫି ନେବାକୁ ନଈ ମଝିକୁ ଯିବାକୁ ନିଶ୍ଚିତ କରିଥିଲେ। ଯାଇଥିଲେ ମଧ୍ୟ। ହେଲେ ହଠାତ ନଦୀର ଜଳସ୍ତର ବଢ଼ିବା ଯୋଗୁ ସେମାନେ ସେଠାରେ ଫସି ଯାଇଥିଲେ। ଯୁବତୀଙ୍କ ଚିତ୍କାର ଶୁଣି ଗ୍ରୁପ୍ରେ ଥିବା ଅନ୍ୟମାନେ ପୋଲିସ ଏବଂ ସ୍ଥାନୀୟ ଲୋକଙ୍କୁ ଖବର ଦେଇଥିଲେ। ସେମାନେ ପହଞ୍ଚି ଦୁଇଟି ଜୀବନ ବଞ୍ଚାଇବାରେ ସଫଳ ହୋଇଛନ୍ତି। ହେଲେ ସେଲ୍ଫି ପାଇଁ ଯୁବତୀଦ୍ୱୟଙ୍କ ଏଭଳି କାମକୁ ଅନେକେ ନାପସନ୍ଦ କରୁଛନ୍ତି।